ଜି.ଉଦୟଗିରି,୧୧ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ ସମସ୍ତ ହାଇସ୍କୁଲରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ସ୍କୁଲ ୟୁନିଫର୍ମ ମିଳି ନ ଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୮ ମାସ ବିତିଗଲାଣି କିନ୍ତୁ ସରକାରଙ୍କ ଯୋଜନାରେ ଦିଆଯାଉଥିବା ସ୍କୁଲ ଡ୍ରେସ୍ ଛାତ୍ରୀଛାତ୍ରଙ୍କୁ ଦିଆଯାଇନାହିଁ। ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀଛାତ୍ର ଆଉ ୩ ମାସ ପରେ ଦଶମ ଶ୍ରେଣୀରେ ପଢ଼ିବେ। ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ର ୨ ମାସ ପରେ ବୋର୍ଡ ପରୀକ୍ଷା ଦେଇ ଘରେ ରହିଯିବେ। କିନ୍ତୁ ଏ ପର୍ଯ୍ୟନ୍ତ ପିଲାମାନଙ୍କୁ ୟୁନିଫର୍ମ ଡ୍ରେସ ମିଳିନାହିଁ। ଫଳରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।
ଏନେଇ ସ୍ଥାନୀୟ ବିଇଓ କାର୍ଯ୍ୟାଳୟରେ ଭାରପ୍ରାପ୍ତ ବିଇଓଙ୍କୁ ପଚାରିବାରୁ ଦୁଇଟି ଏସ୍ଏଚ୍ଜିକୁ ଡ୍ରେସ ତିଆରି ନିମନ୍ତେ ବ୍ଲକସ୍ତରୀୟ କମିଟି ଅନୁମୋଦନ ଦେଇସାରିଛନ୍ତି କିନ୍ତୁ ଜିଲାସ୍ତରୀୟ ଅନୁମୋଦନ କମିଟିର ଅନୁମୋଦନ ମିଳି ନ ଥିବ ତେଣୁ ବିଳମ୍ବ ହେଉଛି। ସ୍ଥାନୀୟ ବିଡିଓ ବ୍ଲକସ୍ତରୀୟ ଅନୁମୋଦନ କମିଟିର ଅଧ୍ୟକ୍ଷ ରହିଛନ୍ତି। ତାଙ୍କୁ ଉକ୍ତ ସମସ୍ୟା ନେଇ ଯୋଗାଯୋଗ ପରେ ସେ ତଦନ୍ତ କରି ସମସ୍ୟାର ଯଥା ଶୀଘ୍ର ସମାଧାନ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ସ୍ଥାନୀୟ ଶିକ୍ଷା ବିଭାଗର ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁ ବର୍ଷ ସରିବାକୁ ଯାଉଛି ହେଲେ ଛାତ୍ରୀଛାତ୍ରଙ୍କୁ ୟନିଫର୍ମ ନ ମିଳିବା ପରିତାପର ବିଷୟ ବୋଲି ଅଭିଭାବକ କହିଛନ୍ତି।