ଭୁବନେଶ୍ୱର,୧୭।୭: ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ଭିଡିଓ ଭାଇରାଲ ପରେ ଜଣାପଡିଛି ଅସଲ ସତ। ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ ଚହଳ ପକାଇଛି। ଏହି ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଅକଳରେ ପଡିଛନ୍ତି ଭାଜପା ସରକାର। ଗତକାଲି ବିଜେଡି ଭୁବନେଶ୍ୱର ଓ ବାଲେଶ୍ୱରରେ ଚକା ଜାମ୍ କରିଥିବାବେଳେ ଆଜି ପୂରା ଓଡ଼ିଶାର ଅଖଚକ ବନ୍ଦ କରିଛି କଂଗ୍ରେସ। ତେବେ କଂଗ୍ରେସର ବନ୍ଦ ଡାକରା ନେଇ ମୋହନ ସରକାରଙ୍କ ବଢିଛି ଟେନଶନ। ସେଥିପାଇଁ କାଲି ରାତି ଅଦ ଯାଏ ସିଏମ ବାସଭାବନରେ ବସିଛି ବଡ଼ ବୈଠକ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ଦେଖିବାକୁ ମିଳିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ବୁଧବାର ରାତିରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଡିଜିପି ୱାଇ.ବି. ଖୁରାନିଆ ଉପସ୍ଥିତ ଥିଲେ। ଭାଜପା ରାଜ୍ୟ ସଭାପତି ଓ କିଛି ଭାଜପା ବିଧାୟକ ମଧ୍ୟ ଆଲୋଚନାରେ ସାମିଲ ହୋଇଥିବା ସୂଚନା ମିଳିଛି । ତେବେ କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ତାହା ଜଣାପଡିନାହିଁ । ତେବେ ପୂର୍ବରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା ଚାଲିଥିବାରୁ ସେ ସଂପର୍କରେ ଆଲୋଚନା ହୋଇଥିବା କୁହାଯାଉଛି ।ବାଲେଶ୍ୱର ଘଟଣାକୁ ନେଇ ରାଜ୍ୟରେ ସୃଷ୍ଟି ହୋଇଥିବା ଅଶାନ୍ତି ପରିସ୍ଥିତି ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି।
ବୈଠକ ପରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଡିଜିପି ଓୱାଇ.ବି. ଖୁରାନିଆ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ପ୍ରସ୍ଥାନ କରିଥିବା ଦେଖାଯାଇଥିଲା। କୁହାଯାଉଛି ଯେ, ବାଲେଶ୍ୱର ଘଟଣା ସମ୍ପର୍କରେ ଆଲୋଚନା କରିବା ପାଇଁ ଏହି ବୈଠକ ଆୟୋଜନ କରାଯାଇଥିବା ବେଳେ, ଏହାକୁ ନେଇଁ ବଡ଼ ବଡ଼ ନେତା ମୁହଁ ଖୋଲିବାକୁ ମନା କରିଦେଇଛନ୍ତି।

ଯଦିଓ ଡିଜିପି ଖୁରାନିଆ ଥିବାରୁ ଆଜିର ବନ୍ଦ ଡାକରାକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଆଲୋଚନା ହେଉଥିବା କୁହାଯାଉଛି। କିନ୍ତୁ ରାଜନୈତିକ ବିଶେଷଜ୍ଞମାନେ ଓଡ଼ିଶା ରାଜନୀତିରେ କିଛି ବଡ଼ ହେବାକୁ ଯାଉଛି ବୋଲି ମଧ୍ୟ ଆକଳନ କରୁଛନ୍ତି। ଆଗକୁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ରହିଛି। ତେବେ ଏହାରି ଭିତରେ ଆକଳନ କରାଯାଉଛି ଯେ, କିଛି ବଡ଼ ନେତାଙ୍କ କ୍ଷମତା ଚାଲିଯାଇପାରେ। ବନ୍ଦ ଦରଜା ଭିତରେ ହେଉଥିବା ଆଲୋଚନାର କିଛି ସୂଚନା ମିଳି ପାରୁ ନ ଥିବାବେଳେ ଭାଜପା ସରକାରଙ୍କ ଅଧ ରାତି ଯାଏ ମିଟିଂ ପାଓ୍ବାର କରିଡରରେ ଚର୍ଚ୍ଚା ବଢାଇଛି।


