IRB Constable Sepoy ନିଯୁକ୍ତି ମାମଲା: ନିଯୁକ୍ତିରେ ହାଇକୋର୍ଟଙ୍କ ରୋକ୍‌

କଟକ,୧୪ା୩(କାର୍ତ୍ତିକ ସାହୁ): ଇଣ୍ଡିଆନ ରିଜର୍ଭ ବାଟାଲିଅନ୍‌ (ଆଇଆର୍‌ବି) କନ୍‌ଷ୍ଟେବଲ୍‌ ସିପାହି ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟ ଗୁରୁବାର ରୋକ ଲଗାଇଛନ୍ତି। ଆସନ୍ତା ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା। ଅନ୍ୟାଦେଶ ପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିବା ପାଇଁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଆସନ୍ତା ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ମାମଲାର ବିବରଣୀରୁ ପ୍ରକାଶ, ମହାମାରୀ କରୋନା କାରଣରୁ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ଆଇଆର୍‌ବି କନ୍‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲା। କରୋନା କାଳ ଅତିକ୍ରମ କଲାପରେ ପ୍ରାୟ ୧୮୦୦ ଆଇଆର୍‌ବି କନ୍‌ଷ୍ଟେବଲ୍‌ ସିପାହି ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ସମୟ ଭିତରେ କେତେଜଣ ପ୍ରାର୍ଥୀଙ୍କର ବୟସ ଅତିକ୍ରାନ୍ତ ହୋଇଯାଇଥିଲା।

ତେବେ ବୟସାଧିକ କାରଣରୁ ବାଦ୍‌ ପଡ଼ିଥିବା କେତେଜଣ ପ୍ରାର୍ଥୀ ଇଣ୍ଟରଭ୍ୟୁ ଦେବା ଲାଗି ଅନୁମତି ଲୋଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ସେମାନଙ୍କ ଆବେଦନକୁ ବିଚାରକରି ଇଣ୍ଟରଭ୍ୟୁରେ ସାମିଲ ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ହେଲେ ଇତିମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିନ୍ତୁ ବୟସାଧିକ ହେତୁ ମେଧା ତାଲିକାରୁ ବାଦ୍‌ ପଡ଼ିଥିବା ପ୍ରାର୍ଥୀମାନେ ଏଥିରୁ ବଞ୍ଚତ୍ତ ହୋଇଛନ୍ତି। ବୟସ ଅତିକ୍ରାନ୍ତ କରିଥିବା ପ୍ରାର୍ଥୀମାନଙ୍କ ପାଇଁ ପୂର୍ବରୁ ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଥିଲା, ତାହା କାର୍ଯ୍ୟକାରୀ ହୋଇ ନ ଥିଲା। ତେଣୁ ସେମାନେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ସେମାନଙ୍କ ପାଇଁ ଲାଗୁ କରିବା ନିମନ୍ତେ ଆଦେଶ ଦେବାକୁ ସେମାନେ ପ୍ରାର୍ଥନା କରିଛନ୍ତି।

Share