ହାଇକୋର୍ଟଙ୍କ ନିର୍ଦ୍ଦେଶ, ୧୫ ଦିନ ଭିତରେ ଅଙ୍ଗନବାଡ଼ି କର୍ମୀଙ୍କୁ ବକେୟା ଦରମା…

କଟକ,୨୦।୧: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅଙ୍ଗନବାଡିକର୍ମୀଙ୍କ ବକେୟା ଦରମା ୧୫ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନହେଲେ ସୁଧ ଦେବା ନିଶ୍ଚୟ ବୋଲି କହିଛନ୍ତି । ବାର୍ଷିକ ୯ ପ୍ରତିଶତ ସୁଧ ପ୍ରତିପକ୍ଷ ସରକାରୀ ଅଧିକାରୀମାନେ ଗଣିବେ ବୋଲି ହାଇକୋର୍ଟ କହିଛନ୍ତି । କାର୍ଯ୍ୟ ସମ୍ପାଦନ କରିବା ପରେ ମଧ୍ୟ କୌଣସି କର୍ମଚାରୀଙ୍କ ଦରମା ଅଟକାଇ ରଖିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ରାୟରେ ପ୍ରକାଶ କରିଛନ୍ତି ।

ଯାଜପୁର ଜିଲା ରସୁଲପୁର ବ୍ଲକ ପ୍ରଥମଖଣ୍ଡି ଗ୍ରାମ ପଞ୍ଚାୟତର ୬ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରରେ ଆବେଦନକାରୀ, ଗତବର୍ଷ ଜୁଲାଇ ୨୪ ତାରିଖରୁ ଅଙ୍ଗନବାଡ଼ି କର୍ମୀ ଭାବେ ନିଯୁକ୍ତି ପାଇ ସୁଚାର ରୂପେ କାର୍ଯ୍ୟ କରିଚାଲିଛନ୍ତି । କିନ୍ତୁ ସରକାରଙ୍କ ପକ୍ଷରୁ ତାଙ୍କୁ ମାସିକ ଦରମା ପ୍ରଦାନ କରାଯାଇ ନଥିଲା । ବାରମ୍ବାର ବିଭିନ୍ନ ସରକାରୀ ଅଫିସରେ ନିଜର ଆବେଦନ କରିବା ସତ୍ତ୍ୱେ କୌଣସି ନିଷ୍କର୍ଷ ମିଳି ନଥିଲା ଯାହା ଫଳରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ହାଇକୋର୍ଟ ଏହି ମମାଲାକୁ ଗୁରୁତ୍ୱର ସହ ନେଇ ଆବଦେନକାରୀଙ୍କୁ ତ୍ୱରିତ ସମୟ ମଧ୍ୟରେ ବାକି ଦରମା ପ୍ରଦାନ କରିବାକୁ ରାୟରେ ପ୍ରକାଶ କରିଛନ୍ତି । ଏହି ମାମଲାରେ ସରକାରଙ୍କ ଆଚରଣ ଆଦର୍ଶ ନିଯୁକ୍ତି ଦାତା ଭଳି ହେବା ଉଚିତ। ଯାହାଦ୍ୱାରା ସମସ୍ତ କର୍ମଚାରୀଙ୍କ ଭରସା ସରକାରଙ୍କ ଉପରେ ରହିବ । କର୍ମଚାରୀଙ୍କୁ ତାଙ୍କର ଦରମାରୁ ବଞ୍ଚିତ କରିବା ତାଙ୍କର ଜୀବିକା ନିର୍ବାହ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ଏହା ସାମ୍ବିଧାନିକ ଅଧିକାରର ସିଧାସଳଖ ଉଲ୍ଲଘଂନ କୁ ଦର୍ଶାଉଛି ବୋଲି କୁହାଯାଇଛି ।

 

Dharitri – Odisha’s No.1 Odia Daily