କଟକ,୨୬।୨(ପ୍ରଭୁ କଲ୍ୟାଣ ପାଲ): ଭାଜପା ନେତା ଗୋଲକ ପ୍ରସାଦ ମହାପାତ୍ରଙ୍କୁ ଆଶ୍ବସ୍ତି । ହାଇକୋର୍ଟରେ ତାଙ୍କ ବିରୋଧରେ ବିଚାରାଧୀନ କୋଇଲା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ସଂପର୍କିତ ଭିଜିଲାନ୍ସ ମାମଲା ରଦ୍ଦ କରାଯାଇଛି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଗୋଲକ ପ୍ରସାଦ ମହାପାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି ।
ଓଡ଼ିଶା କଞ୍ଜ୍ୟୁମର୍ସ କୋଅପରେଟିଭ ଫେଡେରେସନ ଲିମିଟେଡ୍ (ଓସିସିଏଫ) ସଭାପତି ଭାବେ ଆବେଦନକାରୀ କାର୍ଯ୍ୟ କରୁଥିବା ବେଳେ ୨୦୧୦ରେ ଭିଜିଲାନ୍ସ ଏହି ମାମଲା ରୁଜୁ କରିଥିଲା।୨୦୦୮-୧୦ ବର୍ଷରେ ଓସିସିଏଫ ପକ୍ଷରୁ କୋଇଲା ବଣ୍ଟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। MSME ପାଇଁ ଥିବା କୋଇଲା ଓସିସିଏଫ ବିକ୍ରି କରିବା ବେଳେ ବ୍ୟାପକ ଆର୍ଥିକ ଅନିୟମିତା ନେଇ ଅଭିଯୋଗ ହୋଇଥିଲା।
ଏ ନେଇ ଭୁବନେଶ୍ବର ଭିଜିଲାନ୍ସ ସେଲ ପକ୍ଷରୁ ମାମଲା କରାଯାଇଥିଲା। ୨୦୧୩ରେ ଭିଜିଲାନ୍ସ ଅଦାଲତରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ୨୦୨୨ ମାମଲାରେ ଚାର୍ଜଫ୍ରେମ ହୋଇଥିଲା। ମାମଲାର ତଦନ୍ତ, ଚାର୍ଜଫ୍ରେମ, ଟ୍ରାଏଲରେ ବିଳମ୍ବ ଓ ବିନା ଠୋସ ତଥ୍ୟ ପ୍ରମାଣରେ ଆବେଦନକାରୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବା ଅଭିଯୋଗ କରି ଏହି ମାମଲା ହାଇକୋର୍ଟରେ ଦାୟର କରାଯାଇଥିଲା।