ମୋହନା, ୧୪ା୧(ମନ୍ମଥ ମିଶ୍ର): ଗତ ପଞ୍ଚାୟତ ନିର୍ବାଚନରେ ଭୁଲ୍ ତଥ୍ୟ ଦେଇ ସରପଞ୍ଚ ରୂପେ ନିର୍ବାଚିତ ହୋଇଥିବାରୁ ଏହାର ପ୍ରତିବାଦରେ ପ୍ରତିଦ୍ୱନ୍ଦ୍ୱୀ କୈଳାସି ମାଝୀ ୨୦୨୨ରେ ମୋହନା ସିଭିଲ ଜଜ୍ ଜୁନିୟର ଡିଭିଜନର ଆଶ୍ରୟ ନେଇଥିଲେ। ବିଚାରପତି ୬ା୯ା୨୦୨୪ରେ ଏହାର ଶୁଣାଣି କରି ସରପଞ୍ଚ ସରସ୍ବତୀ ମଳିକଙ୍କୁ ସମସ୍ତ ଦାୟିତ୍ୱ ନାଏବ ସରପଞ୍ଚଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରପଞ୍ଚ ସରସ୍ବତୀ ଏହି ରାୟରେ ଅସନ୍ତୋଷ ପ୍ରକାଶ କରି ଜିଲା ସିଭିଲ ଜଜ୍ଙ୍କ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଜିଲା ସିଭିଲ ଜଜ୍ ମାମଲାର ବିଚାର କରି ଦମାଦୁଆ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ସାନି ନିର୍ବାଚନ କରାଯିବ ବୋଲି ରାୟ ଦେଇଥିଲେ। ଏଥିରେ ମଧ୍ୟ ସରସ୍ବତୀ ଅସନ୍ତୋଷ ପ୍ରକାଶ କରି ହାଇକୋର୍ଟରେ ଅପିଲ କରିଥିଲେ। ହାଇକୋର୍ଟ ଏହାର ବିଚାର କରି ସରସ୍ବତୀ ମଳିକଙ୍କ ସରପଞ୍ଚ ପଦବୀକୁ ରଦ୍ଦ କରି ନାଏବ ସରପଞ୍ଚଙ୍କୁ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ରାୟ ଦେଇଛନ୍ତି। ଏ ସମ୍ପର୍କିତ ଚିଠି ପାଇବା ପରେ ଗଜପତି ଜିଲାପାଳ ସମ୍ପୃକ୍ତା ସରପଞ୍ଚ ସରସ୍ବତୀଙ୍କୁ ଅବଗତ କରାଇବା ସହ ଏ ଦିଗରେ ପଦକ୍ଷେପ ନେବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।