କଟକ,୨୧ା୧: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅଦାଲତ ତାଙ୍କୁ ଗର୍ଭପାତ ଏବଂ ଭ୍ରୂଣର ଡିଏନଏ (DNA) ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ପୀଡ଼ିତା ଜଣକ ହାଇକୋର୍ଟରେ ଏକ ମାମଲା ଦାୟର କରି ଦର୍ଶାଇଥିଲେ ଯେ, ତାଙ୍କର ଏହି ଗର୍ଭଧାରଣ ଅନିଚ୍ଛାକୃତ ଏବଂ ଏହା ଏକ ଦୁଷ୍କର୍ମ ମାମଲା ସହ ଜଡ଼ିତ ।
ପୂର୍ବରୁ ସେ ରାଉରକେଲା ମହିଳା ଥାନାରେ ଏନେଇ ଅଭିଯୋଗ କରିଥିଲେ, ଯାହାକୁ ‘ଜିରୋ ଏଫଆଇଆର’ ଭାବେ ରୁଜୁ କରାଯାଇ ପରେ ବିଞ୍ଝାରପୁର ଥାନାକୁ ହସ୍ତାନ୍ତର କରାଯାଇଥିଲା। ବିଚାରପତି ଜଷ୍ଟିସ ସାବିତ୍ରୀ ରଥଙ୍କ ଇଜିଲାସରେ ଏହି ମାମଲାର ଶୁଣାଣି ଚାଲିଥିଲା। ଶୁଣାଣି ସମୟରେ କୋର୍ଟଙ୍କ ନଜରକୁ ଆସିଥିଲା ଯେ ପୀଡ଼ିତାଙ୍କ ଗର୍ଭାବସ୍ଥା ବର୍ତ୍ତମାନ ପ୍ରାୟ ୨୧ ସପ୍ତାହ ୪ ଦିନରେ ପହଞ୍ଚିଛି ।ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି (MTP) ଆକ୍ଟ ଅନୁଯାୟୀ, ଗର୍ଭପାତ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିଛି ।
ରାଜ୍ୟ ସରକାରଙ୍କ ଦ୍ୱାରା ସେପ୍ଟେମ୍ବର ୨୦୨୫ରେ ଜାରି କରାଯାଇଥିବା ସ୍ୱତନ୍ତ୍ର ଏସଓପି (SOP) ଆଧାରରେ ନାବାଳିକା ଏବଂ ଜଟିଳ ପରିସ୍ଥିତିରେ ଗର୍ଭପାତ ପାଇଁ ବ୍ୟବସ୍ଥା ରହିଛି । ଡିଏନଏ ପରୀକ୍ଷା ପାଇଁ ନିର୍ଦ୍ଦେଶ ଅଦାଲତ ଗର୍ଭପାତ ଅନୁମତି ଦେବା ସହ ଭ୍ରୂଣର ନମୁନା ସଂଗ୍ରହ କରି ତାହାର ଡିଏନଏ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଅଭିଯୁକ୍ତ ବିରୋଧରେ ପ୍ରମାଣ ଭାବେ ବ୍ୟବହୃତ ହେବ । ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପୀଡ଼ିତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ କୋର୍ଟ କହିଛନ୍ତି ।