Posted inଜାତୀୟ

ପ୍ରୟାଗରାଜରେ ହାଇଆଲର୍ଟ

ପ୍ରୟାଗରାଜ/ଲକ୍ଷ୍ନୌ,୧୭ା୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅମଳରେ ଏନ୍‌କାଉଣ୍ଟରରେ ୧୮୩ ଜଣଙ୍କୁ ହତ୍ୟା କରାଗଲାଣି। ମୃତକଙ୍କ ମଧ୍ୟରେ ଉମେଶ ପାଲ୍‌ଙ୍କ ହତ୍ୟା ଅଭିଯୁକ୍ତ ଅସଦ୍‌ ଅହମ୍ମଦ ଓ ଶୁଟର ଗୁଲାମ ମହମ୍ମଦ ଅନ୍ତର୍ଭୁକ୍ତ। ଅସଦ୍‌ଙ୍କୁ ପ୍ରୟାଗରାଜରେ ସମାଧି ଦିଆଯିବାର କିଛି ଘଣ୍ଟା ପରେ ତାଙ୍କ ବାପା ତଥା ଗ୍ୟାଙ୍ଗ୍‌ଷ୍ଟର ଅତିକ୍‌ ଅହମ୍ମଦ ଓ ଦାଦା ଅଶ୍ରଫ୍‌ ଅହମ୍ମଦଙ୍କୁ ପୋଲିସ ଘେରରେ ତଥା କ୍ୟାମେରା ସାମ୍ନାରେ ହତ୍ୟା କରାଯାଇଛି। ୟୁପିରେ ଜଙ୍ଗଲରାଜ, ମାଫିଆରାଜ ଓ ଅରାଜକତା ଚାଲିଥିବା ସମାଲୋଚନା କରି ଯୋଗୀ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି ବିରୋଧୀ।

ଗ୍ୟାଙ୍ଗ୍‌ଷ୍ଟରରୁ ରାଜନେତା ସାଜିଥିବା ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶ୍ରଫ୍‌ ଅହମ୍ମଦଙ୍କ ସୁରକ୍ଷାକୁ ହୁଗୁଳା କରାଇ ରାଜ୍ୟ ସରକାର ଦୁହିଁଙ୍କୁ ହତ୍ୟା କରାଇଥିବା ଅଭିଯୋଗ ହେଲାଣି। ଅନ୍ୟପକ୍ଷେ ଉଚ୍ଚସ୍ତରୀୟ ବୈଠକ ପରେ ଯୋଗୀ ବରିଷ୍ଠ ଅଧିକାରୀମାନଙ୍କୁ ପ୍ରୟାଗରାଜକୁ ପଠାଇଛନ୍ତି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ରାଜ୍ୟର ସମସ୍ତ ଜିଲାରେ ସିଆର୍‌ପିସି ୧୪୪ ଧାରା ଜାରି କରାଯାଇଛି। ପ୍ରୟାଗରାଜ ଜିଲାରେ ଗୁଜବ ସୃଷ୍ଟି ହେବାକୁ ନ ଦେବା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି।
ଉମେଶ ପାଲ୍‌ ହତ୍ୟା ଅଭିଯୁକ୍ତ ଅସଦ୍‌ ଅହମ୍ମଦ ଓ ଗୁଲାମ ମହମ୍ମଦଙ୍କୁ ୟୁପି ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଗୁରୁବାର ଝାନ୍ସୀର ବବିନା ଜଙ୍ଗଲରେ ଏନ୍‌କାଉଣ୍ଟର କରି ହତ୍ୟା କରିଥିଲା। ଅସଦ୍‌ଙ୍କୁ ଶନିବାର ପ୍ରୟାଗରାଜର କସାରି ମାସାରିରେ ସମାଧି ଦିଆଯାଇଥିବାବେଳେ ତାଙ୍କ ବାପା ଅତିକ୍‌ ଓ ଦାଦା ଅଶ୍ରଫ୍‌ଙ୍କୁ ସେଠାରୁ ୩ କି.ମି. ଦୂରରେ ଥିବା ଧୂମାଗଞ୍ଜ ଥାନାରେ ପଚରାଉଚରା କରାଯାଉଥିଲା। ସେଠାରୁ ଉଭୟଙ୍କୁ ହ୍ୟାଣ୍ଡ୍‌କପ୍‌ ଦେଇ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏକ ମେଡିକାଲ କଲେଜକୁ ନିଆଯାଇଥିଲା। ଦୁଇଭାଇଙ୍କୁ ପୋଲିସ ସୁରକ୍ଷା ଦେଇ ସେଠାକୁ ନେଇଥିବାବେଳେ ରାତି ୧୦ଟା ୩୫ରେ ଉଭୟେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ପରିଚୟ ଦେଇ ମିଡିଆ କର୍ମୀଙ୍କ ସହ ସାମିଲ ଥିବା ୩ ଜଣ ଯୁବକ ହଠାତ୍‌ ଅତିକ୍‌ଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ। ଅଶ୍ରଫ୍‌ କିଛି ବୁଝିପାରିବା ପୂର୍ବରୁ ତାଙ୍କ ମୁଣ୍ଡକୁ ମଧ୍ୟ ସେମାନେ ଗୁଳି କରିଥିଲେ ବୋଲି ପ୍ରୟାଗରାଜ ପୋଲିସ କମିଶନର ରାମିତ୍‌ ଶର୍ମା ସୂଚନା ଦେଇଛନ୍ତି। ରାମିତ୍‌ କହିଛନ୍ତି, ୩ ଆକ୍ରମଣକାରୀ ଦୁଇଭାଇଙ୍କୁ ହତ୍ୟା କରିବା ପରେ ସଙ୍ଗେ ସଙ୍ଗେ ପୋଲିସ ନିକଟରେ ଆମତ୍ସମର୍ପଣ କରିଥିଲେ। ସେମାନଙ୍କୁ ଗିରଫ କରି ଜେରା କରାଯାଉଛି। ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ଦୃଶ୍ୟ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ କ୍ୟାମେରାରେ କଏଦ୍‌ ହୋଇଥିଲା, ଯାହାକି ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବାରେ ଲାଗିଛି।
୩ ହତ୍ୟା ଅଭିଯୁକ୍ତ ଲଭଲେଶ ତିଓ୍ବାରୀ(ବନ୍ଦା ବାସିନ୍ଦା), ମୋହିତ୍‌ ଓରଫ୍‌ ସନ୍ନି (ହମିରପୁର) ଓ ଅରୁଣ ମୌର୍ଯ୍ୟ (କାସଗଞ୍ଜ)ଙ୍କ ବିରୋଧରେ ଧୂମାଗଞ୍ଜ ଥାନାରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଦଫା ୩୦୨ (ହତ୍ୟା), ୩୦୭ (ହତ୍ୟା ଉଦ୍ୟମ), ଆମର୍‌ସ ଆକ୍ଟ ଏବଂ କ୍ରିମିନାଲ ଲ’ ଆମେଣ୍ଡ୍‌ମେଣ୍ଟ ଆକ୍ଟ ବଳରେ ମାମଲା ରୁଜୁ କରାଯାଇଥିବା ଧୂମାଗଞ୍ଜ ଏସ୍‌ଏଚ୍‌ଓ ରାଜେଶ କୁମାର ମୌର୍ଯ୍ୟ ସୂଚନା ଦେଇଛନ୍ତି। ଅପରାଧସ୍ଥଳରୁ ପୋଲିସ ଅଭିଯୁକ୍ତମାନେ ବ୍ୟବହାର କରିଥିବା ବନ୍ଧୁକକୁ ଜବତ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ହତ୍ୟାର ତଦନ୍ତ ପାଇଁ ୩ ସଦସ୍ୟ ବିଶିଷ୍ଟ ବିଚାରବିଭାଗୀୟ କମିଶନ ଗଠନ କରିଛନ୍ତି। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅରବିନ୍ଦ କୁମାର ତ୍ରିପାଠୀ ଏହାର ନେତୃତ୍ୱ ନେବେ। କମିଶନ ଅଫ୍‌ ଇନ୍‌କ୍ୱାରି ଆକ୍ଟ, ୧୯୫୨ ଅଧୀନରେ ଗୃହ ବିଭାଗ ପକ୍ଷରୁ ଗଠିତ ଉକ୍ତ ତଦନ୍ତ ଆୟୋଗର ଅନ୍ୟ ଦୁଇ ସଦସ୍ୟ ହେଲେ ଅବସରପ୍ରାପ୍ତ ବିଚାରପତି ବ୍ରଜେଶ କୁମାର ସୋନି ଓ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସୁବେଶ କୁମାର ସିଂ। କମିଶନ ୨ ମାସ ମଧ୍ୟରେ ତଦନ୍ତ କରି ରାଜ୍ୟ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ।
ଏଠାରେ ପ୍ରଶ୍ନ ଉଠୁଛି ପୋଲିସର ସୁରକ୍ଷା ବଳୟ ଭିତରେ ଥିବା ଦୁଇଜଣ ହାଇପ୍ରୋଫାଇଲ୍‌ ଅଭିଯୁକ୍ତଙ୍କୁ ୩ ଜଣ ଯୁବକ କିପରି ହତ୍ୟା କଲେ। ଅତିକ୍‌ ଓ ଅଶ୍ରଫ୍‌ କୌଣସି ମାମୁଲି ଅପରାଧୀ ନ ଥିଲେ। ଅତିକ୍‌ଙ୍କ ବିରୋଧରେ ଶତାଧିକ ଓ ଅଶ୍ରଫ୍‌ଙ୍କ ବିରୋଧରେ ଅର୍ଦ୍ଧଶତାଧିକ ମାମଲା ରହିଥିଲା। ଉଭୟଙ୍କର କେବଳ ଆପରାଧିକ ପୃଷ୍ଠଭୂମି ନ ଥିଲା, ବରଂ ଦୁଇଭାଇ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ। ତେଣୁ ଦୁହିଁଙ୍କୁ ଜେଲରୁ ନେଇ କୋର୍ଟରେ ହାଜର କରାଇବାବେଳେ ହେଉ କି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲକୁ ନେବା ସମୟରେ ହେଉ ଯେପରି ସୁରକ୍ଷା ଦିଆଯିବା କଥା ସେପରି ବ୍ୟବସ୍ଥା କରାଯାଇ ନ ଥିଲା। ହତ୍ୟାକାଣ୍ଡ ପରେ ଆକ୍ରମଣକାରୀମାନଙ୍କୁ କେତେଜଣ ନିରସ୍ତ୍ର କନ୍‌ଷ୍ଟେବଲ ଧରିବାକୁ ଉଦ୍ୟମ କରୁଥିବା ଭିଡିଓ ଫୁଟେଜ୍‌ରେ ଦେଖିବାକୁ ମିଳିଛି। କାବୁ କରିବାବେଳେ କନ୍‌ଷ୍ଟେବଲ ମାନ୍‌ ସିଂଙ୍କ ହାତରେ ଗୁଳି ବାଜିବାରୁ ସେ ଆହତ ହୋଇଥିବା ପୋଲିସ କହିଛି। ଏଥିରୁ ବୁଝାପଡ଼ୁଛି ଯେ, ସମାଜବାଦୀ ପାର୍ଟି (ଏସ୍‌ପି)ର ପୂର୍ବତନ ଏମ୍‌ପି ଅତିକ୍‌ ଓ ପୂର୍ବତନ ବିଧାୟକ ଅଶ୍ରଫ୍‌ଙ୍କ ସୁରକ୍ଷାରେ କୌଣସି ବରିଷ୍ଠ ଅଧିକାରୀ ନିୟୋଜିତ ନ ଥିଲେ।

 

ଉପା ଅମଳରେ ଆଣବିକ ଚୁକ୍ତିକୁ ରକ୍ଷା କରିଥିଲା ଅତିକ୍‌ଙ୍କ ଭୋଟ

୨୦୦୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ବିରୋଧରେ ଆମେରିକା-ଭାରତ ଆଣବିକ ଚୁକ୍ତିକୁ ନେଇ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ବାମପନ୍ଥୀମାନେ ୨୦୦୮ ମଧ୍ୟଭାଗରେ ସମର୍ଥନ ପ୍ରତ୍ୟାହାର କରିନେଇଥିବାବେଳେ ଲୋକ ସଭାରେ ଉପାର ୨୨୮ ସଦସ୍ୟ ଥିଲେ। ତେବେ ସଂଖ୍ୟାଗରିଷ୍ଠତାଠାରୁ ୪୪ ଏମ୍‌ପିଙ୍କ ସମର୍ଥନ ନିଅଣ୍ଟ ହୋଇଥିଲା। ଅତିକ୍‌ ଅହମ୍ମଦଙ୍କ ସମେତ ୬ ଦାଗିନେତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଜେଲରୁ ମୁକ୍ତ କରାଯାଇଥିଲା। ସେହି ସମୟରେ ଏହି ବାହୁବଳୀ ଏମ୍‌ପିମାନେ ଉପା ସରକାର ସପକ୍ଷରେ ଭୋଟ ଦେଇ ଆମେରିକା ସହ ହୋଇଥିବା ଭାରତର ସିଭିଲ ନ୍ୟୁକ୍ଲିୟର ଡିଲ୍‌କୁ ରକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri