ମୁଖ୍ୟମନ୍ତ୍ରୀଙ୍କ ଗସ୍ତ: ଅଟକିଲା ଆମ୍ବୁଲାନ୍ସ, ଗାଡି ପାଉ ନ ଥିଲେ ଲୋକେ

ନୂଆପଡ଼ା,୮ା୧୧ (ମକାରୁ ବେମାଲ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରୋଡ୍‌ ଶୋରେ ନୂଆପଡ଼ା ସହରର ଏକତା ଛକ ଓ ଖରିଆର ରୋଡ୍‌ ଏନ୍‌ଏସରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହା ମଧ୍ୟରେ ଯେଉଁପଟେ ଦେଖିଲେ ଜୟ ଶ୍ରୀରାମ ଓ ମୋହନ ଦାଦା ଧ୍ୱନିରେ ସହର ପ୍ରକମ୍ପିତ ହୋଇଥିଲା।
କଡା ସୁରକ୍ଷା ବଳୟରେ ରୋଡ୍‌ ଶୋ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋରେ ହଜାର ସଂଖ୍ୟାରେ ପୋଲିସ ମୁତୟନ ରହିଥିଲେ। କଡା ସୁରକ୍ଷା ବଳୟରେ ରୋଡ ଶୋ ହୋଇଥିଲା। କୌଣସି ସ୍ଥାନରେ ଯେମିତି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ପୋଲିସ ନଜର ରଖିଥିଲା।

ଲୋକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ
ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ ସମୟରେ ଲୋକଙ୍କ ମନୋରଞ୍ଜନ ପାଇଁ କେତେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଶ୍ଚିମ ଓଡିଶାର ପାରମ୍ପରିକ ଲୋକନୃତ୍ୟକୁ ଲୋକେ ଭରପୂର ଉପଭୋଗ କରିଥିଲେ। ଏଥିରେ ଘଣ୍ଟ ବାଦ୍ୟ, ବୀରବାଦ୍ୟ ଘୁମୁରା, ମହିଳା ଓ ପୁରୁଷ ସଂକୀର୍ତ୍ତନ, ଆଦିବାସୀ ନୃତ୍ୟ, ବିଭିନ୍ନ ପ୍ରକାର ବାଜା ସହ ଘୋଡାନାଚ, ଦୁଲଦୁଲି, ଝଙ୍କାର ଆଦିର ଝଲକ ଦେଖିବାକୁ ମିଳିଥିଲା।

ଟ୍ରାଫିକ ଜାମ୍‌ ଯୋଗୁ ଆମ୍ବୁଲାନ୍ସ ଅଟକିଲା
ମୁଖ୍ୟମନ୍ତ୍ରୀ ଆସିବାରେ ୨ଘଣ୍ଟା ପୂର୍ବରୁ ଟ୍ରାଫିକ ଜାମ ହୋଇଯିବାରୁ ସାଧାରଣ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅପରାହ୍ନ ୪ଟାରୁ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ କାର୍ଯ୍ୟକ୍ରମ ରହିଥିଲା। ଏହାକୁ ଦେଖିବା ପାଇଁ ଲୋକେ ଅପରାହ୍ନ ୨ଟା ପୂର୍ବରୁ ଚାଲିଆସିଥିଲେ। ରାସ୍ତା ପାର୍ଶ୍ୱରେ ଗାଡିମୋଟର ପାର୍କିଂ ଯୋଗୁ ଟ୍ରାଫିକ ଜାମ ଭଳି ସ୍ଥିତି ଉପୁଜିଥିଲା। ଏଥିଯୋଗୁ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଅଟକି ରହିଥିଲା। ସ୍ବାଭାବିକ ସ୍ଥିତି ପରେ ଆମ୍ବୁଲାନ୍ସ ଗନ୍ତବ୍ୟସ୍ଥଳକୁ ଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଦୀର୍ଘସମୟ ଅପେକ୍ଷା
ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଲୋକେ ଦୂରଦୂରାନ୍ତରୁ ଆସି ରାସ୍ତା କଡରେ ଅପେକ୍ଷା କରିଥିଲେ। ସେମାନଙ୍କୁ ପଚାରିବାରୁ ଆମେ ସୁନାବେଡା ଅଭୟାରଣ୍ୟ କଟିଙ୍ଗପାଣି ଗାଁରୁ ଆସିଛୁ। ପୂର୍ବାହ୍ନ ୧୧ଟାରେ ଆସିବେ ବୋଲି କହିବାରୁ ଆମେ ଶୀଘ୍ର ଆସିଗଲୁ ବୋଲି କହି ରାସ୍ତା କଡରେ ଅପେକ୍ଷା କରି ବସିଥିଲେ।

ସନ୍ଧ୍ୟା ହୋଇଯିବାରୁ ଲୋକେ ନିଜ ଗାଡି ପାଉ ନ ଥିଲେ
ଶନିବାର ଅପରାହ୍ନ ୪ଟାରେ ନୂଆପଡା ସର୍କିଟ ହାଉସ ପଡିଆରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରୁ ଅବତରଣ କରି ନୂଆପଡାଠାରୁ ଖରିଆର ରୋଡ୍‌ ପର୍ଯ୍ୟନ୍ତ ରୋଡ୍‌ ଶୋ କରିବା କାର୍ଯ୍ୟକ୍ରମ ରହିଥିଲା। ହେଲେ ପ୍ରାୟ ୧ଘଣ୍ଟା ବିଳମ୍ବରେ ରୋଡ୍‌ ଶୋ ଆରମ୍ଭ ହୋଇଥିଲା। ଏତିକି ବେଳକୁ ସନ୍ଧ୍ୟା ହୋଇଯାଇଥିଲା। ଦୂରଦୂରାନ୍ତରୁ ଆସିଥିବା ଲୋକମାନେ ନିଜ ଗାଡି ପାଉ ନ ଥିବା ଦେଖାଯାଇଥିଲା।

Dharitri – Odisha’s No.1 Odia Daily

Share
Tags: odisha cm