ମହାକାଳପଡ଼ା,୨୮ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତିଘର ଅଞ୍ଚଳରେ ଶିଳ୍ପ କରିଡ଼ର ପ୍ରତିଷ୍ଠା ଯୋଜନା ପ୍ରସ୍ତୁତ ହୋଇଛି। ସେଥିପାଇଁ ଶିଳ୍ପ ଉନ୍ନୟନ ନିଗମ ପକ୍ଷରୁ ସରକାରୀ ଜମି ନିଜ ଅକ୍ତିଆରକୁ ନେଉଛି। ବତିଘର ଖରିନାଶି ରାମନଗର ପଞ୍ଚାୟତରେ ୧୫୦ ଏକରରୁ ଅଧିକ ବେସାରୀ ଜମି ଅଧିଗ୍ରହଣ କରିବା ପାଇଁ ଯୋଜନା ଆରମ୍ଭ କରିଛି। ଅପର ପକ୍ଷରେ ଏହି ଅଞ୍ଚଳରେ ଶିଳ୍ପ କରିଡ଼ର ପ୍ରତିଷ୍ଠା ହେଲେ ପରିବେଶ ସୁରକ୍ଷା ଗଭୀର ପ୍ରଭାବିତ ହେବ ବୋଲି କୁହାଯାଉଛି। ବିଶେଷ କରି ଭିତରକନିକା, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଲୁଣା ହେନ୍ତାଳ ଜଙ୍ଗଲ ଗଭୀର ପ୍ରଭାବିତ ହେବ ବୋଲି ପରିବେଶବିତ୍ ମହଲରେ ଚର୍ଚ୍ଚା ହେଉଛି। ବତିଘର ପଞ୍ଚାୟତରେ ବ୍ୟାପକ ପରିମାଣରେ ଲୁଣା ହେନ୍ତାଳ ଝାଉଁ ଗଛ ରୋପଣ କରାଯାଇଛି। ଶିଳ୍ପ କରିଡ଼ର ପ୍ରତିଷ୍ଠା ହେଲେ ଏହି ବ୍ୟାପକ ପରିମାଣର ଜଙ୍ଗଲର ଭବିଷ୍ୟତ ଦୁର୍ବିଷହ ହୋଇ ପଡ଼ିବ ବୋଲି କୋଷ୍ଟାଲ ଓଡ଼ିଶା ଇକୋ ଫାଉଣ୍ଡେଶନ ମୁଖ୍ୟ ପରିବେଶବିତ୍ ଚିନ୍ମୟ କୁମାର ଦାସ କହିଛନ୍ତି।
ମହାକାଳପଡ଼ା ବନାଞ୍ଚଳ ଅଧୀନ ବତିଘର ସେକ୍ସନ ହେଟାମୁଣ୍ଡିଆ, କଂସାର ଡିଆ, ନିପାଣିଆ, ସରଳିକୁଦ, ହସିଣା କନ୍ଧା, ଜପଧାନ କୁଦ ଆଦି ଜଙ୍ଗଲ, ବଡ ଓ ସାନ ଟୁବି, କଜଳ ପାତିଆ, ଲଞ୍ଚଘୋଲା ଓ ହୁକିଟୋଲା ଆଦି ଜଙ୍ଗଲ ଅଞ୍ଚଳରେ ଶତାଧିକ ଲୁଣା ହେନ୍ତାଳ ଝାଉଁ ଗଛ ଦେଖିବାକୁ ମିଳୁଛି। ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ୧୧ା୧୨ା୨୩ରେ ରାମନଗର, ଖରିନାଶି ବତିଘର ପଞ୍ଚାୟତରେ ଗ୍ରାମ ଜନଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଞ୍ଚଳରେ ଭିତ୍ତିଭୂମି ତଥା ରାସ୍ତା ନିର୍ମାଣ, ଏୟାର ପୋର୍ଟ, ରେଳପଥର ବିକାଶ ହେଲେ ସବୁ ଜାତୀୟ ଅନ୍ତର୍ଜାତୀୟ ବ୍ରାଣ୍ଡ କମ୍ପାନୀ କର୍ତ୍ତୃପକ୍ଷ ମୁହାଁଇବେ ବୋଲି ସାମାଜିକ କର୍ମୀ ସୁବାସ ସ୍ବାଇଁ, ଲକ୍ଷ୍ମୀକାନ୍ତ ସ୍ବାଇଁ ଓ ବିରଞ୍ଚି ନାରାୟଣ ଦାସ ପ୍ରମୁଖ ମତବ୍ୟକ୍ତ କରିଛନ୍ତି।