୨୧ ଯାଏ ଝଡ଼ବର୍ଷା: ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୩(ବନ୍ଦନା ସେଠୀ):ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ ଝଟକା ପବନ ଅନୁଭୂତ ହେବ। ଏନେଇ ମଙ୍ଗଳବାର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବର୍ଷା ସମୟରେ ୩୦ରୁ ୪୦ କି.ମି ପର୍ଯ୍ୟନ୍ତ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି। ଏଥିସହ ଅନ୍ୟ ଜିଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ସୂଚନା ଦିଆଯାଇଛି। ସେହିପରି ୧୯ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଥିବାବେଳେ ୨୦ ତାରିଖରେ ରାଜ୍ୟରେ ବଡ଼ ବର୍ଷା ହେବାର ସୂଚନା ଦିଆଯାଇଛି। ୨୪ ଜିଲାରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼ ଓ ସମ୍ବଲପୁର ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଘଡ଼ଘଡ଼ି ବର୍ଷା ସହିତ ୫୦ରୁ ୬୦ କି.ମି. ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ଦେଓଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା ଏବଂ ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ ଓ ଜଗତ୍‌ସିଂହପୁର ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି।
ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରରେ ସର୍ବାଧିକ ୩୫ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ଟେନ୍‌ସାରେ ୩୪ ମି.ମି., ବାଲେଶ୍ୱର ଜିଲାର ସୋରୋରେ ୩୨ ମି.ମି., ମୟୂରଭଞ୍ଜ ଜିଲାର ଚାନ୍ଦୁଆରେ ୨୭ ମି.ମି., ସରଶଙ୍ଖରେ ୨୬ ମି.ମି., ବାଙ୍ଗିରିପୋଷିରେ ୨୫.୨ ମି.ମି, ବାଲେଶ୍ୱର ଜିଲାର ବାହାନଗାରେ ୨୫ ମି.ମି. ବର୍ଷା ରେକର୍ଡ ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟର ୯ଟି ସ୍ଥାନର ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀଠାରୁ ଅଧିକ ରେକର୍ଡ ହୋଇଛି। ସୋନପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬.୬ ଡିଗ୍ରୀ ରହିଥିବାବେଳେ ବଲାଙ୍ଗୀରରେ ୩୬.୩ ଡିଗ୍ରୀ, ସମ୍ବଲପୁରରେ ୩୬.୧ ଡିଗ୍ରୀ, ଝାରସୁଗୁଡ଼ାରେ ୩୬ ଡିଗ୍ରୀ, ଭବାନୀପାଟଣାରେ ୩୬ ଡିଗ୍ରୀ, ଟିଟିଲାଗଡ଼ରେ ୩୬ ଡିଗ୍ରୀ, ହୀରାକୁଦରେ ୩୫.୫ ଡିଗ୍ରୀ, ତାଳଚେରରେ ୩୫.୪ ଡିଗ୍ରୀ ଏବଂ ଅନୁଗୋଳରେ ୩୫.୧ ଡିଗ୍ରୀ ରେକର୍ଡ କରାଯାଇଛି।

 

Dharitri – Odisha’s No.1 Odia Daily

 

Share