ଭୁବନେଶ୍ୱର,୨୫ା୨(ବନ୍ଦନା ସେଠୀ): ଓଡ଼ିଶାର ଉତ୍ତର-ଉପକୂଳ ଏବଂ ଏହାର ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ୧.୫କି.ମି. ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଅପରାହ୍ନ ୫ଟାରୁ ୬ଟା ପର୍ଯ୍ୟନ୍ତ ଘଣ୍ଟାଏ କାଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଦିନସାରା ପାଗ ଠିକ୍ ଥିଲା, ମାତ୍ର ଅପରାହ୍ନ ୫ଟା ବେଳକୁ ହଠାତ୍ କଳାହାଣ୍ଡିଆ ମେଘ ଘୋଟିଆସି ପ୍ରବଳ ବର୍ଷା ହୋଇଥିଲା। ଘଡ଼ଘଡ଼ି ସାଙ୍ଗକୁ ଜୋରରେ ପବନ ବହିଥିଲା। କେତେକ ସ୍ଥାନରେ ଗଛ ଭାଙ୍ଗିଥିବାବେଳେ ରାସ୍ତାଘାଟରେ ପାଣି ଜମିରହିଥିଲା। ପାତ୍ରପଡ଼ା ଆଇଗିଣିଆ ଦୁର୍ଗାମଣ୍ଡପ ପାଖରେ ପବନରେ ହୋର୍ଡିଂ ଭାଙ୍ଗିପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। କଟକ ସମେତ ଅନ୍ୟାନ୍ୟ ଜିଲାରେ ମଧ୍ୟ ଅନୁରୂପ ଭାବେ ବର୍ଷା ପବନ ହୋଇଥିବାବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛି।
ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟାରେ ମୟୂରଭଞ୍ଜ ଜିଲାର ଯଶିପୁରରେ ସର୍ବାଧିକ ୪୦.୪ ମି.ମି. ବର୍ଷା ଏବଂ ଭୁବନେଶ୍ୱରରେ ୧୭.୬ ମି.ମି ବର୍ଷା ରେକର୍ଡ ହୋଇଥିବା ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝର ଜିଲାର ଚମ୍ପୁଆରେ ୨୯.୪ ମି.ମି., ଗଜପତି ଜିଲା ଆର୍.ଉଦୟଗିରିରେ ୨୮.୨ମି.ମି., ମୟୂରଭଞ୍ଜ ଜିଲାର ନଓ୍ବାନାରେ ୧୮.୨ ମି.ମି., କୋରାପୁଟର ପଟ୍ଟାଙ୍ଗୀରେ ୧୧.୨ମି.ମି., ମୟୂରଭଞ୍ଜର ବାଲିମୁଣ୍ଡଳୀରେ ୯.୬ ମି.ମି., ସମ୍ବଲପୁରର ବୁର୍ଲାରେ ୭.୮ମି.ମି., ନୂଆପଡ଼ାର ସିନାପଲ୍ଲୀରେ ୯.୬ମି.ମି., ବରଗଡ଼ରେ ୫.୬ମି.ମି. ଏବଂ ମୟୂରଭଞ୍ଜର ଜି.ବି.ନଗରଠାରେ ୫ମି.ମି. ବର୍ଷା ରେକର୍ଡ ହୋଇଛି।
ଅପରପକ୍ଷେ ଆସନ୍ତା ୩ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ଡିଗ୍ରୀ କମିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବୁଧବାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କଟକ, ଜଗତ୍ସିଂହପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୪ଡିଗ୍ରୀ ରହିଥିବାବେଳେ ସମତଳ ଅଞ୍ଚଳ ଭାବେ କୋରାପୁଟରେ ୧୫.୬ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିଠାରେ ୩୬.୬ଡିଗ୍ରୀ ରେକର୍ଡ ହୋଇଛି।