ଆହୁରି ୪୮ ଘଣ୍ଟା ଅତି ପ୍ରବଳ ବର୍ଷା: ନବରଙ୍ଗପୁରକୁ ଅରେଞ୍ଜ, ଏହି ୭ ଜିଲାକୁ ୟେଲୋ ୱାର୍ନିଂ ଜାରି…

ଭୁବନେଶ୍ୱର, ୨୬ା୯(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ ଦିଗକୁ ଗତିକରି ୨୭ ତାରିଖ ଶନିବାର ସକାଳେ ପୁରୀ ଏବଂ କଳିଙ୍ଗପଟନମ୍‌ ମଧ୍ୟରେ ଗୋପାଳପୁର ନିକଟ ଦେଇ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ନବରଙ୍ଗପୁର ଜିଲାର କିଛି ସ୍ଥାନରେ ବିଜୁଳି ଓ ଘଡଘଡି ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ବର୍ଷା ସହିତ ୪୦-୫୦ କି.ମି. ବେଗରେ ପବନ ହେବା ସହ ମଝିରେ ମଝିରେ ୬୦କି.ମି. ବେଗରେ ଝଟ୍‌କା ପବନ ବହିବ। ସେହିପରି କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନୂଆପଡ଼ା ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୨୮ ତାରିଖରେ ଅବପାତ ଦକ୍ଷିଣ ଓଡ଼ିଶା ଅତିକ୍ରମ କରିବା ପରେ ରାଜ୍ୟରେ ବର୍ଷାର ପରିମାଣ କମିବ। ଏହାସତ୍ତ୍ୱେ ୧୨ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି କରାଯାଇଛି। ମୁଖ୍ୟତଃ ଉତ୍ତର ଓ କେନ୍ଦ୍ରୀୟ ଉପକୂଳବର୍ତ୍ତୀ ଜିଲାକୁ ସତର୍କତା ଜାରି ହୋଇଥିବା ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।