ଭୁବନେଶ୍ୱର,୧୪।୮: ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିଭଳି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୟାଗଡ଼, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର ଓ ବୌଦ୍ଧ ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେହିଭଳି ବଜ୍ରପାତ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂପୁର, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ସୋନପୁରକୁ ସତର୍କ କରାଯାଇଛି। ୧୮ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳର ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତାରେ ରହିଛି। ଏହା ପ୍ରଭାବରେ ରାଜ୍ୟରେ ବୁଧବାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା। କୋରାପୁଟରେ ସର୍ବାଧିକ ୨୪.୨ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଅଧିକାଂଶ ଜିଲାରେ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା। । ତେବେ ଲଘୁଚାପଟି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟ ଲଘୁଚାପର ରୂପ ନେଇ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଦେଇ ଗତି କରିବାର ସମ୍ଭାବନା ରହିଛି।