୧୨ ରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଏସବୁ ଜିଲାକୁ ଚେତାବନୀ ଜାରି

ଭୁବନେଶ୍ୱର,୧୦ା୮: ଓଡ଼ିଶାରେ ଆସନ୍ତା ୧୨ ତାରିଖରୁ ବର୍ଷାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୩ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ରାଜ୍ୟରେ ବର୍ଷାକୁ ଆହୁରି ତୀବ୍ର କରିପାରେ। ଏହାର ପ୍ରଭାବରେ ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିବ।

ପାଣିପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି। ବିଶେଷ କରି ୧୨ ତାରିଖ ପାଇଁ ରାଜ୍ୟର ୪ଟି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲାଗୁଡ଼ିକ ମଧ୍ୟରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଜଗତସିଂହପୁର ରହିଛି, ଯେଉଁଠାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ଲଘୁଚାପ କ୍ଷେତ୍ର ଉତ୍ତର ଓଡ଼ିଶା ଏବଂ ନିକଟବର୍ତୀ ଅଞ୍ଚଳରେ ଅଧିକ ପ୍ରଭାବ ପକାଇବ। ଏହା ଫଳରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସହ କିଛି ସ୍ଥାନରେ ପ୍ରଚଣ୍ଡ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ମଧ୍ୟ ପରାମର୍ଶ ଦେଇଛି।

ରାଜ୍ୟ ସରକାର ଓ ଜିଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ଓ ଜଳମଗ୍ନ ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ ପାଣିପାଗ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।