ଛେଚିଲା କୁଆପଥର ବର୍ଷା: ଡ୍ରେନ୍‌ ପାଣି ସହ ମିଶି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ହେଲା ଭର୍ତ୍ତି

ଦାରିଙ୍ଗବାଡ଼ି,୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ସୋମବାର ଅପରାହ୍ନରେ କୁଆପଥର ସହ ପ୍ରବଳ ବର୍ଷା ହୋଇଛି। ପ୍ରାୟ ୧ ଘଣ୍ଟା ଧରି ଏହି ବର୍ଷା ଲାଗିରହିଥିବା ବେଳେ ରାସ୍ତାଘାଟ, ଡ୍ରେନ୍‌ରେ ବର୍ଷା ଜଳ ଭର୍ତ୍ତି ହୋଇଯାଇଥିଲା। ଡ୍ରେନ୍‌ଗୁଡିକରେ ଅଳିଆ ଭର୍ତ୍ତି ହୋଇ ବନ୍ଦ ହୋଇ ରହିଥିବା ବେଳେ ବର୍ଷା ଜଳରେ ଅଳିଆ ଭାସି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଭର୍ତ୍ତି ହୋଇଛି। ଫଳରେ ପୁତ୍ତିମୟ ଗନ୍ଧରେ ନାକ ଫାଟିପଡୁଛି। ଦୀର୍ଘଦିନ ହେଲା ଡ୍ରେନ୍‌ ସଫେଇ ନାମରେ ଚଞ୍ଚକତା କରାଯାଉଥିଲେ ମଧ୍ୟ ପ୍ରକୃତରେ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଡ୍ରେନ୍‌ ସଫେଉ କରାଯାଉ ନ ଥିବା ଦାରିଙ୍ଗବାଡ଼ିର ଅରୁଣ ପ୍ରଧାନ, ରୋଶନ ସାହୁ, କୈଳାସ ସାହୁ, ସଞ୍ଜି ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ଖବର ଲେଖାହେବା ସୁଦ୍ଧା ବର୍ଷା ଛାଡ଼ିଯିବା ସହ ପୂର୍ବଭଳି ପ୍ରଚଣ୍ଡ ଖରାର ପ୍ରଭାବ ଦେଖିବାକୁ ମିଳିଛି। ସେପଟେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ କୁଢ଼କୁଢ଼ ଅଳିଆ, ପ୍ଲାଷ୍ଟିକ୍‌, ପଲିଥିନ, ଅଇଁଠା ଖଲିପତ୍ର ଭାସି ଆସି ଗଦା ହୋଇ ରହିଥିଲେ ମଧ୍ୟ ସଫେଇ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ପଞ୍ଚାୟତର ଦୋକାନ ଗୃହରେ ଭଡ଼ାସୂତ୍ରରେ ନେଇ ଦୋକାନ କରିଥିବା ବ୍ୟବସାୟୀମାନେ ହଇରାଣ ଭୋଗୁଛନ୍ତି।

Share