ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର ବର୍ଷା ହୋଇଛି। ଫଳରେ କଳା ମିଚିମିଚି ପିଚୁ ରାସ୍ତାର ଚାରିଆଡେ କୁଆ ପଥର (ବରଫ ଖଣ୍ଡ )ସତେ ଯେମିତି କଶ୍ମୀରରେ ବରଫ ପଡ଼ିଲା ପରି ଦିଶୁଛି। ଦାରିଙ୍ଗବାଡିରେ ପ୍ରାୟ ୧ ଘଣ୍ଟା ଧରି କାଳ ବୈଶାଖୀ ତାଣ୍ଡବ ରଚିଥିଲା। ହଠାତ ପାଗରେ ପରିବର୍ତ୍ତନ ହୋଇ ଶୀତ ଅନୁଭୂତ ହେଉଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଖୁସି ଦେଖିବାକୁ ମିଳିଛି। କେବଳ ସ୍ଥାନୀୟ ଲୋକେ ନୁହଁ ଦାରିଙ୍ଗବାଡିକୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଏଭଳି ପାଗର ପରିବର୍ତ୍ତନକୁ ଦେଖି ଖୁସି ହେବା ସହ ମଜା ନେଇଛନ୍ତି। ଚଳିତ ବର୍ଷର ଏହା ପ୍ରଥମ କୁଆପଥର ବର୍ଷା ହୋଇଥିବାରୁ ହଳଦୀ ଚାଷୀଙ୍କ ସମେତ ପନିପରିବା ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତେବେ ଯେଉଁମାନେ ମହୁଲ ଫୁଲ ସଂଗ୍ରହ କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ ସେମାନଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି । ଏହି କୁଆପଥର ବର୍ଷା ଯୋଗୁ ଆମ୍ବ ବଉଳ ଓ ମହୁଲ ଫୁଲ ଅଧିକାଂଶ କ୍ଷତିଗ୍ରସ୍ଥ ହୋଇଥିବା ଆଶଙ୍କା କରାଯାଇଛି।

Dharitri – Odisha’s No.1 Odia Daily

Share