Odisha Elections 2024

ଜନତାଙ୍କ ଅଭିଯୋଗ ଶୁଣାଣି ମୋ ପାଇଁ ସର୍ବୋଚ୍ଚ: ନବୀନ

ଭୁବନେଶ୍ୱର,୨୬ା୯(ଅନିଲ ଦାସ):ଆମେ ସମସ୍ତେ ଜନତାଙ୍କ ସେବକ। ଜନସାଧାରଣଙ୍କ ଅଭିଯୋଗର ଶୁଣାଣି ଆମର ସର୍ବୋଚ୍ଚ ପ୍ରାଥମିକତା। ଜନସାଧାରଣଙ୍କ ଖୁସିରେ ଲୋକ ପ୍ରତିନିଧିମାନେ ଖୁସି। ବିରୋଧୀ ଦଳର ସଦସ୍ୟମାନେ କେବଳ ରାଜନୈତିକ କାରଣ ଦୃଷ୍ଟିରୁ ଅସନ୍ତୁଷ୍ଟ ହେଉଛନ୍ତି। ମୋ ସରକାର ପାଇଁ ଜନସାଧାରଣ ହେଉଛନ୍ତି ପ୍ରଥମ। ଏହାକୁ ସର୍ବୋତ୍ତମ ଭାବରେ ସମ୍ପାଦନ କରିବା ପାଇଁ ମୁଁ କାମ କରିଚାଲିବି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବିଧାନସଭାରେ ଏଭଳି କିଛି ତଥ୍ୟ ଉପସ୍ଥାପନ କରି ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି।
ଗତ କିଛିମାସ ଧରି ବିରୋଧୀ ଦଳଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଜିଲାଗସ୍ତକୁ ନେଇ ବିରୋଧ କରିବା ସହ ସମାଲୋଚନା କରି ଆସୁଛନ୍ତି। ସୋମବାର ବିଧାନସଭାରେ ମଧ୍ୟ ମୁଖ୍ୟ ବିରୋଧୀ ଦଳ ଭାଜପା ମନ୍ତ୍ରୀ ବନାମ ଅଫିସର ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ କରି ଗୃହକୁ ଅଚଳ କରିଥିଲେ। ବିରୋଧୀଙ୍କ ଏଭଳି ଅଭିଯୋଗକୁ କଡ଼ା ଜବାବ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଜନସାଧାରଣଙ୍କ ଅଭିଯୋଗ ସମାଧାନ ଉପରେ ସବୁବେଳେ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି। କୋଭିଡ୍‌ ମହାମାରୀ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରରେ ଅଭିଯୋଗ ଶୁଣାଣି କରି ସମାଧାନ ପାଇଁ ପଦକ୍ଷେପ ନେଉଥିଲା। ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ସେମାନଙ୍କ ଅଭିଯୋଗ ଦାଖଲ କରୁଥିଲେ। ସୁଦୃଢ଼ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଜରିଆରେ ସେଗୁଡିକର ସମାଧାନ କରାଯାଉଥିଲା। ରାଜ୍ୟର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ ଜଣାଇବା ବ୍ୟବସ୍ଥା ଲୋକମାନଙ୍କ ମନରେ ବ୍ୟବସ୍ଥା ପ୍ରତି ଆସ୍ଥା ସୃଷ୍ଟି କରୁଥିଲା। କୋଭିଡ୍‌ ସମୟରେ କଟକଣା ଯୋଗୁ ପ୍ରାୟ ୨ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା। ପରିସ୍ଥିତି ସ୍ବାଭାବିକ ହେବା ପରେ ଏହା ପୁଣି ଥରେ ତା’ର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ କୋଭିଡ୍‌ ପରବର୍ତ୍ତୀ ସମୟରେ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଲୋକଙ୍କ ସଂଖ୍ୟା ତଥା ଅଭିଯୋଗର ହାରାହାରି ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଲା। ୨ ବର୍ଷ ଧରି କୋଭିଡ୍‌ କଟକଣା ଲାଗୁ ରହିବା ଫଳରେ ଅଭିଯୋଗ ସମାଧାନରେ ସମସ୍ୟା ଦେଖାଦେଇଥିଲା। ତେଣୁ ଲୋକଙ୍କ ଘର ପାଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇ ପହଞ୍ଚାଇବା ପାଇଁ ସେ ଚିନ୍ତା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ସବୁ ବ୍ଲକ ଓ ସବୁ ସହରାଞ୍ଚଳରେ କମ୍‌ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିପରି ପହଞ୍ଚିପାରିବ ସେ ଦିଗରେ ପଦକ୍ଷେପ ନିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ। ମୋ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ଜିଲାରେ ବିକେନ୍ଦ୍ରିତ ଅଭିଯୋଗ ଶୁଣାଣି ପରିଚାଳନା କଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୬ ମାସ ମଧ୍ୟରେ ରାଜ୍ୟର ୧୯୦ରୁ ଅଧିକ ସ୍ଥାନରେ ଏହି ଅଭିଯୋଗ ଶୁଣାଣି ଆୟୋଜନ କରାଯାଇଛି। ପ୍ରତ୍ୟେକ ଦିନ ୩ରୁ ୫ଟି ସ୍ଥାନରେ ଅଭିଯୋଗ ଶୁଣାଣି ହୋଇଛି। ଏହି ପ୍ରକ୍ରିୟାରେ ଲୋକଙ୍କଠାରୁ ୫୭୪୪୨ଟି ଦରଖାସ୍ତ ଗ୍ରହଣ କରାଯାଇଛି। ଆଜି ପର୍ଯ୍ୟନ୍ତ ୪୩୫୩୬ଟି ଦରଖାସ୍ତର ଫୈସଲା କରାଯାଇଛି। ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥା ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ସ୍ବଚ୍ଛତାର ସହ ସମ୍ପାଦନ କରାଯାଇଛି। ଏହି ସମସ୍ତ ଦରଖାସ୍ତ ଏବଂ ତା’ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ତଥା ଫୈସଲାର ବିଭିନ୍ନ ପର୍ଯ୍ୟାୟର ସମ୍ପୂର୍ଣ୍ଣ ବିବରଣୀ ଜନଶୁଣାଣି ପୋର୍ଟାଲରେ ସ୍ଥାନିତ ହୋଇଛି। ଉତ୍ତରାଧିକାରୀ ସ୍ବତ୍ୱ ସଂକ୍ରାନ୍ତୀୟ ବିଷୟଗୁଡ଼ିକ ବାରମ୍ବାର ଆଲୋଚନା ଜରିଆରେ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ଦୀର୍ଘଦିନ ଧରି ପଡ଼ି ରହିଥିବା ଏହି ସମସ୍ୟାଗୁଡ଼ିକର ଆଗାମୀ ୨ରୁ ୩ ମାସ ମଧ୍ୟରେ ସମାଧାନ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ଅଭିଯୋଗକାରୀଙ୍କୁ ଲିଖିତ ଉତ୍ତର ଦିଆଯାଉଛି। ମୋ ସରକାର ଜରିଆରେ ଫୋନ୍‌ କରାଯାଇ ସେମାନଙ୍କଠାରୁ ମତାମତ ମଧ୍ୟ ସଂଗ୍ରହ କରାଯାଉଛି। ଦେଶର ଯେ କୌଣସି ସରକାରଙ୍କ ଦ୍ବାରା ପରିଚାଳିତ ଜନସାଧାରଣଙ୍କ ଅଭିଯୋଗର ସମାଧାନ ନିମନ୍ତେ ଥିବା ବ୍ୟବସ୍ଥା ମଧ୍ୟରେ ଏହା ହେଉଛି ସର୍ବୋତ୍କୃଷ୍ଟ ବ୍ୟବସ୍ଥା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ୍‌ ପରିଚାଳନା ସମ୍ପର୍କରେ ତଦାରଖ କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସେହି ଟିମ୍‌ ବିଭିନ୍ନ ସ୍ଥାନକୁ ପଠାଯାଇଥିଲା। ଯେତେବେଳେ ସମସ୍ତେ ଘର ଭିତରେ ଆବଦ୍ଧ ଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଟିମ୍‌ ନିଜ ଜୀବନକୁ ବିପନ୍ନ କରି ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲାରୁ ଜିଲାକୁ ବୁଲି କୋଭିଡ୍‌ ପରିସ୍ଥିତିର ତଦାରଖ କରୁଥିଲେ ଏବଂ ଲୋକମାନଙ୍କର ମତାମତ ନେଉଥିଲେ। ଏହି ବ୍ୟବସ୍ଥା ଆମକୁ ତ୍ୱରିତ୍‌ ନିଷ୍ପତ୍ତି ନେବାରେ ସହାୟକ ହୋଇଥିଲା। ଫଳରେ ଆମେ ଆମ ରାଜ୍ୟବାସୀଙ୍କର ଅମୂଲ୍ୟ ଜୀବନ ରକ୍ଷାକରିବା ସହିତ ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ସାହାଯ୍ୟ କରିଆସିଥିଲୁ। ବର୍ତ୍ତମାନ ଏହି ବ୍ୟବସ୍ଥା ସମ୍ପର୍କରେ ରାଜନୈତିକ ସମାଲୋଚନା ହେଉଛି। ଏହା ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଭିଯୋଗ ପ୍ରକୋଷ୍ଠ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ପରିଚାଳିତ। ଭୁବନେଶ୍ବରରେ ମନ୍ତ୍ରୀମାନଙ୍କର ଏହି ବ୍ୟବସ୍ଥାରେ ସାମିଲ ହେବାରେ କୌଣସି ଆବଶ୍ୟକତା ପଡ଼ିନାହିଁ। ଗୋଟିଏ ଅଭିଯୋଗ ଦରଖାସ୍ତ ମିଳିବା ପରେ ଏହାକୁ ସମ୍ପୃକ୍ତ ବିଭାଗକୁ ପଠାଯାଇଥାଏ। ତେଣୁ ଏଥିରେ ମନ୍ତ୍ରୀ ବନାମ ଅଫିସର ପ୍ରସଙ୍ଗ ଉଠୁଛି କେଉଁଠି। ଅଭିଯୋଗ ଦରଖାସ୍ତର ବିଭାଗ ସ୍ତରୀୟ ସମାଧାନରେ ବିଭାଗର ମୁଖ୍ୟ ଭାବରେ ମନ୍ତ୍ରୀମାନେ ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। ଏହା ସର୍ବୋଚ୍ଚ ସ୍ତରରେ ଟିମ୍‌ ୱାର୍କ ଅଟେ ଏବଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବୃତ୍ତିଗତ ଭାବରେ ଏହା କରାଯାଇଥାଏ। ଲୋକଙ୍କ ଅଭିଯୋଗର ଯେଭଳି ଠିକ୍‌ ଭାବରେ ସମାଧାନ ହେବ ଏବଂ ଜନସାଧାରଣ ଯେପରି ସର୍ବୋତ୍ତମ ସନ୍ତୁଷ୍ଟି ଲାଭ କରିବେ, ତାହା ହିଁ ଆମର ଲକ୍ଷ୍ୟ। ଯଦି ସମସ୍ତ ୫୭ ହଜାର ଅଭିଯୋଗକାରୀ (ତନ୍ମଧ୍ୟରୁ ସଂଖ୍ୟାଧିକ ହେଉଛି ଗୋଷ୍ଠୀଗତ ଅଭିଯୋଗ) ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥାନ୍ତେ, ଯିବା ଆସିବା ଓ ରହଣିରେ ସେମାନଙ୍କର କେତେ ଖର୍ଚ୍ଚ ହୋଇଥାନ୍ତା। ସେମାନେ କେତେ ମଜୁରି ହରାଇ ଥା’ନ୍ତେ ବୋଲି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜନସାଧାରଣଙ୍କ ଘରପାଖକୁ ଯାଇ ଅଭିଯୋଗ ସଂଗ୍ରହ କରିଥିବାରୁ, ଜନସାଧାରଣଙ୍କ ଅର୍ଥ ଓ ସମୟ ବଞ୍ଚିପାରିଛି ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ହେଲିକପ୍ଟର ବ୍ୟବହାର ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଯଦି ହେଲିକପ୍ଟର ବ୍ୟବହାର ନ କରି ସଡ଼କ ପଥରେ ଯାଇଥାନ୍ତୁ, ତେବେ ଏଥିପାଇଁ ଆମକୁ ଦେଢ଼ବର୍ଷ ସମୟ ଲାଗିଥାନ୍ତା। ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ୩ରୁ ୫ଟି ସଭା କରିବା ଏବଂ ତା’ ପୁଣି ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୦ଟାରୁ ୩ଟା ମଧ୍ୟରେ କରିବା ଯେକୌଣସି ମଣିଷ ପକ୍ଷେ ଅସମ୍ଭବ। ଗତ ସାଢେ ତିନି ବର୍ଷ ମଧ୍ୟରେ ଆମେ ହେଲିକପ୍ଟର ବ୍ୟବହାରରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛୁ। ହାରାହାରି ଭାବରେ ପ୍ରତି ମାସରେ ହେଲିକପ୍ଟର ବ୍ୟବହାର ବାବଦକୁ ୧ କୋଟିରୁ ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ୬ ମାସ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବ୍ୟାପକ ଭାବରେ ହେଲିକପ୍ଟର ବ୍ୟବହାର କରାଯାଇଛି, ଯାହାର କି ହାରାହାରି ଖର୍ଚ୍ଚ ମାସ ପିଛା ୧ କୋଟିରୁ ଦେଢ଼ କୋଟି ଟଙ୍କା ମଧ୍ୟରେ ହୋଇଛି। ହେଲିକପ୍ଟର ବ୍ୟବହାରରେ ମାତ୍ରାଧିକ ଖର୍ଚ୍ଚ ସଂକ୍ରାନ୍ତୀୟ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଅଭିସନ୍ଧିମୂଳକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମ୍ପୂର୍ଣ୍ଣ ବୃତ୍ତିଗତ ଭାବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅଭିଯୋଗ ଶୁଣାଣି କରିଛି। ଏହି ଶୁଣାଣି ସମୟରେ ଲୋକଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଏବଂ ସେଥିପାଇଁ ହୋଇଥିବା ଅର୍ଥ ମଞ୍ଜୁରୀ ସମ୍ପର୍କରେ ସୂଚନା ଦିଆଯାଇଛି। ଲୋକଙ୍କ ଅଭିଯୋଗର ସମାଧାନ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଁ ସ୍ବତନ୍ତ୍ର ଭାବରେ ନିର୍ଦ୍ଦେଶ ଦେଇଥିଲି। ଲୋକଙ୍କ ଅଭିଯୋଗ ଶୁଣାଣି ନିମନ୍ତେ ବିଭିନ୍ନ ସ୍ଥାନରେ ଯେଭଳି ବୃତ୍ତିଗତ ଭାବରେ ଦକ୍ଷତାର ସହ ପଦକ୍ଷେପ ଗ୍ରହଣ କରାଗଲା, ସେଥିପାଇଁ ମନ୍ତ୍ରୀଗଣ, ଜିଲା ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସରକାରଙ୍କ ବିଭିନ୍ନ ବିଭାଗ ତଥା ଏଥିରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆନ୍ତରିକ ଧନ୍ୟବାଦ ଦେଇଛନ୍ତି। ସେମାନଙ୍କ ଅଞ୍ଚଳରେ ଅନେକ ଅଭିଯୋଗର ସମାଧାନ କରାଯାଇଥିବାରୁ, ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ଖୁସି ହେବା ଉଚିତ। ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପକୁ କିଏ କିପରି ବିରୋଧ କରିପାରିବ ତାହା ମୁଁ ବୁଝିପାରୁ ନାହିଁ। ଏଭଳି ବିରୋଧ ଜନବିରୋଧୀ ଏବଂ ଜନସାଧାରଣ ଏଭଳି ମନୋବୃତ୍ତିକୁ ଉଚିତ ଜବାବ ଦେବେ ବୋଲି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଚେତାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ମଇଦାନ ରାଜକିଶୋର-କୃଷ୍ଣଚନ୍ଦ୍ର ମୁହାଁମୁହିଁ, ପରସ୍ପରକୁ କହିଲେ…

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରେ ମୋଟ୍‌ ୧୭ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ସାରିଛନ୍ତି। ବିଜେଡିରୁ...

ମୁଁ ଦଳରେ ନାହିଁ, ମୋତେ କିଭଳି ବହିଷ୍କାର କରାଗଲା: ବିଜୟ

ଭୁବନେଶ୍ୱର,୧୮।୫: ମୁଁ ଦଳରେ ନାହିଁ। ହେଲେ ମୋତେ କିପରି ବହିଷ୍କାର କରାଗଲା। ଏଭଳି ନିଷ୍ପତ୍ତି ନେଇ ଭାଜପା ଲୋକହସା ହୋଇଛି ବୋଲି ବରିଷ୍ଠ ନେତା ବିଜୟ...

ତୃତୀୟ ପର୍ଯ୍ୟାୟରେ ୪ ପ୍ରାର୍ଥୀଙ୍କ ନାମରେ ହତ୍ୟା, ଜଣଙ୍କ ନାମରେ ବଳାତ୍କାର ମାମଲା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୪୨ ବିଧାନସଭା ନିର୍ବାଚନମଣ୍ଡଳୀର ୩୮୩ ବିଧାୟକ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦ଜଣ ଅର୍ଥାତ ୨୬%ଙ୍କ ନାମରେ...

ପାଣ୍ଡିଆନ ଦେଲେ ବଡ଼ ପ୍ରତିଶ୍ରୁତି, ମିଶନ ଶକ୍ତି ମା’ମାନଙ୍କୁ ମିଳିବ ପେନସନ

ପୁରୀ,୧୮।୫: ପୁରୀ କୃଷ୍ଣପ୍ରସାଦରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କ୍ରମରେ ବଡ଼ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ମୁଖ୍ୟମନ୍ତ୍ରୀଙ୍କ ୩ଟି ଦସ୍ତଖତ କଥା...

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀ କିଏ ଜାଣନ୍ତି? ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର,୧୮।୫: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି ବୋଲି ଜଣାପଡିଛି। ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ସବୁଠୁ ଧନୀ ପ୍ରାର୍ଥୀ...

ମହାପ୍ରଭୁଙ୍କ ଦର୍ଶନ ସାରି ମେଗା ରୋଡ ଶୋ’ କରିବେ ମୋଦି

ଭୁବନେଶ୍ୱର,୧୮ା୫:୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

୨୨ରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୨୪ ଅବପାତ!

ଭୁବନେଶ୍ୱର,୧୮।୫: ତାତିରୁ ମିଳିବ ଆଶ୍ୱସ୍ତି। ଆସନ୍ତା ୨୨ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୨୦ ପ୍ରତିଶତ ମତଦାନ କେନ୍ଦ୍ର ସମ୍ବେଦନଶୀଳ: ସିଇଓ

ଭୁବନେଶ୍ୱର,୧୮।୫: ଦ୍ବିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓ ନିକୁଞ୍ଜ ଧଳ ଶନିବାର ପ୍ରେସମିଟ କରିଛନ୍ତି। ୨ୟ ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri