ଭୁବନେଶ୍ୱର,୧।୫: ଆସନ୍ତା ମେ ୫ ତାରିଖ ସୋମବାର ସମସ୍ତ ଜିଲାରେ ଅନୁଷ୍ଠିତ ହେବାକୁ ଥିବା ଜିଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ମଇ ୨ ତାରିଖ ଦିବା ୧୧ ଘଟିକା ଠାରୁ ଆରମ୍ଭ ହେବ। ଏଥି ନିମନ୍ତେ ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ(https://janasunani.odisha.gov.in/)ବ୍ୟବହାର କରି ସଂପୃକ୍ତ ଜିଲାପାଳ ଏବଂ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ ।
ଜନସାଧାରଣ ପଞ୍ଜୀକରଣ ପ୍ରାପ୍ତି ସ୍ଵୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ଜିଲାପାଳ ଏବଂ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇପାରିବେ । ଏତଦ୍ ଭିନ୍ନ, ଅଣପଞ୍ଜୀକୃତ ଆବେଦନକାରୀମାନଙ୍କର ଅଭିଯୋଗପତ୍ରଗୁଡିକୁ ମଧ୍ୟ ଯୁଗ୍ମ ଶୁଣାଣି ଶିବିରରେ ସିଧାସଳଖ ଗ୍ରହଣ କରାଯାଇପାରିବ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି l