ବରଗଡ଼,୧୯ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଗୁରୁବାର ପରିବାର ନିୟୋଜନ ଅସ୍ତ୍ରୋପଚାର ଚାଲିଥିବା ସମୟରେ ହଠାତ୍ ବ୍ୟବହୃତ ମେଶିନ ଅଚଳ ହୋଇପଡ଼ିଥିଲା। ବରଗଡ଼ ହସ୍ପିଟାଲ ବଞ୍ଚାଅ ଅଭିଯାନ ସଂଗଠନ ଏହି ଘଟଣାର ନିରପେକ୍ଷ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହି ଦାବିରେ ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉକ୍ତ ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିଛି ବୋଲି ସଂଗଠନର ଭବାନୀ ସାହୁ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଅସ୍ଥିଶଲ୍ୟ ବିଭାଗରେ କାର୍ଡବୋର୍ଡ ଦେଇ ଚିକିତ୍ସା କରାଯାଇଥିବା ଦେଖିବାକୁ ମିଳିଥିବାବେଳେ ମୁଖ୍ୟ ଚିକିତ୍ସାଳୟ ଏକ ପ୍ରକାର ରେଫେରାଲ ୟୁନିଟ୍ ଭାବେ କାମ କରୁଥିବା ସାହୁ ଅଭିଯୋଗ କରିଛନ୍ତି। ସେହିପରି ଅସ୍ଥିଶଲ୍ୟ ଡାକ୍ତର ନ ଥିବାରୁ ବହୁ ରୋଗୀ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ପୂଜାରୀ, ପ୍ରଶାନ୍ତ ନାୟକ, ସୁଶାନ୍ତ ସାହୁ, ଦିବାକର ମାଝୀ, ନିଖିଳ ପାଣିଗ୍ରାହୀ, ଜି.ଭି ରାଓ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

