କଳାହାଣ୍ଡି ଜିଲାରେ ସ୍ବାସ୍ଥ୍ୟ ସେବା ବିପଯ୍ୟସ୍ତ: ୮ମାସରେ ବଦଳିଲେଣି ୩ ସିଡିଏମ୍‌ଓ, ୪୧୧ ଡାକ୍ତର ପଦବୀ ଖାଲି

ଭବାନୀପାଟଣା, ୧୪।୮ (ଉତ୍ତମ କୁମାର ଦାଶ) : କଳାହାଣ୍ଡି ଜିଲାରେ ସ୍ବାସ୍ଥ୍ୟସେବା ବିପଯ୍ୟସ୍ତ ହେବାରେ ଲାଗିଥିବାବେଳେ ବର୍ତ୍ତମାନ ୮ ମାସରେ ଜିଲାରେ ୩ ସିଡିଏମଓଙ୍କ ବଦଳି ହେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି।
ପ୍ରକାଶ ଯେ, ଗତ ୨୦୨୪ ମସିହା ଫେବୃୟାରୀ ମାସରେ  ସୂଚେତା ପାଣି କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଯୋଗ ଦେଇଥିଲେ । ଏହାପରେ ସେ ୨୦୨୪ ମସିହା ମେ ମାସରେ ୩ ମାସ ଧରି ଛୁଟିରେ ଥିଲେ । ଏହି ସମୟରେ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ  ନିହାରେନ୍ଦ୍ର ପଣ୍ଡା ସିଡିଏମଓ ଦାୟିତ୍ବରେ ରହିଥିଲେ ।ପରେ ୨୦୨୫ ମସିହା ଜାନୁଆରୀ ମାସରେ  ସୁଚେତା ପାଣି ଚାକିରିରୁ ଅବସର ନେଇଥିଲେ। ଏହାପରେ ୨୦୨୫ ମସିହା ଫେବୃଆରୀରୁ ଜୁନ ମାସ ପର୍ଯ୍ୟନ୍ତ  ମିନତିଲତା ଦାସ ଭାରପ୍ରାପ୍ତ ସିଡିଏମ୍‌ଓ ଭାବରେ ଦାୟିତ୍ବ ନେଇଥିଲେ । ସେହିପରି ଜୁନ ୧୯ ତାରିଖରେ  କିଶୋର ପୃଷ୍ଟି କଳାହାଣ୍ଡି ସିଡିଏମଓ ଭାବରେ ବଦଳି ହୋଇ ଆସିଥିଲେ । ଗତ ଅଗଷ୍ଟ ୭ ତାରିଖରେ ତାଙ୍କର ପଦୋନ୍ନତି ହେବା ଯୋଗୁଁ ଭୂବନେଶ୍ବରକୁ ବଦଳି ହୋଇଥିଲା । ବର୍ତ୍ତମାନ ଏଡିଏମଓ  ନିହାରେନ୍ଦ୍ର ପଣ୍ଡା ସିଡିଏମଓ ଦାୟିତ୍ବରେ ରହିଛନ୍ତି । କଳାହାଣ୍ଡି ଜିଲାରେ ବାରମ୍ବାର ସିଡିଏମଓ ବଦଳି ହେବା ନେଇ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି । କଳାହାଣ୍ଡି ଜିଲାକୁ ଜଣେ ସ୍ଥାୟୀ ସିଡିଏମ୍‌ଓ ନିଯୁକ୍ତି ଦେବାକୁ ସାଧାରଣରେ ଦାବୀ ହୋଇଛି । ଅନ୍ୟପକ୍ଷରେ, ଜିଲାରେ ୬୦୬ଟି ଡାକ୍ତରୀ ପଦବୀ ରହିଥିବାବେଳେ ବର୍ତ୍ତମାନ ମାତ୍ର ୧୯୫ ଡାକ୍ତର ରହିଛନ୍ତି। ଅବଶିଷ୍ଟ ୪୧୧ ଡାକ୍ତର ପଦବୀ ଖାଲି ପଡିଛି। ଫଳରେ ଜିଲାରେ ସ୍ବାସ୍ଥ୍ୟ ସେବା କିପରି ପରିଚାଳନା କରାଯାଉଥିବ ତାହା ସହଜେ ଅନୁମେୟ ।