ସରକାରୀ କର୍ମଚାରୀଙ୍କ ପାଇଁ ସ୍ବାସ୍ଥ୍ୟବୀମା ଲାଗୁ ଦାବି

ଭୁବନେଶ୍ୱର,୨୪।୩(ବନ୍ଦନା ସେଠୀ): ରାଜ୍ୟ ସରକାର ଓଡ଼ିଶାରେ ଆୟୁଷ୍ମାନ୍‌ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଲାଗୁ କରିବାକୁ ଯାଉଛନ୍ତି। ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଦେଶର ୨୯ ହଜାର ଘରୋଇ ଓ ସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ। ମାତ୍ର ରାଜ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ହଜାର ହଜାର ସରକାରୀ କର୍ମଚାରୀ ଏହି ଯୋଜନାରୁ ବାଦ୍‌ ପଡ଼ୁଛନ୍ତି। ଏନେଇ ମିଳିତ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନ ନିଷ୍ପତ୍ତି ନେଇଛି। ରବିବାର ମହାସଂଘ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯିବା ସହ ରାଜ୍ୟ ସରକାର ମାସେ ଭିତରେ କ୍ୟାସ୍‌ଲେସ୍‌ ହେଲ୍‌ଥକାର୍ଡ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ନ କଲେ ପଞ୍ଚାୟତଠାରୁ ଲୋକସେବା ଭବନ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ସୂଚନା ଦିଆଯାଇଛି। ଏଥିସହ ଡିଜିଟାଲ୍‌ ଆନ୍ଦୋଳନ ସହ କଳାବ୍ୟାଜ୍‌ ପରିଧାନ କରି କର୍ମଚାରୀମାନେ କର୍ମ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ଅସନ୍ତୋଷ ଜାହିର କରିବେ ବୋଲି କୁହାଯାଇଛି।
ମହାସଂଘ ଆବାହକ ବିଜୟ ମଲ୍ଲ କହିଛନ୍ତି, ସରକାରଙ୍କର ସବୁ ଯୋଜନାକୁ ସଫଳ ରୂପାୟନ କରୁଥିବା ଓ ବିକଶିତ ଓଡ଼ିଶାକୁ ଆଗକୁ ନେଉଥିବା ଅସହାୟ କର୍ମଚାରୀଙ୍କ ପାଇଁ ଏହି ସଫଳ ଯୋଜନା ଲାଗୁ କରାଯାଉ। ଏନେଇ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଓଡ଼ିଶାର ୫ଲକ୍ଷ ସରକାରୀ କର୍ମଚାରୀ ଓ ସାଢେ ୩ଲକ୍ଷ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି। ହେଲେ ଏଯାଏ ସରକାର ଏଯାବତ୍‌ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ବିଭିନ୍ନ ରାଜ୍ୟ ଓ ରାଷ୍ଟ୍ରୀୟ ଉଦ୍ୟୋଗରେ କର୍ମଚାରୀମାନଙ୍କୁ ସ୍ବାସ୍ଥ୍ୟବୀମା ଯୋଗାଇ ଦିଆଯାଉ ଥିବାବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସମ୍ମିଳନୀରେ ପ୍ରଭାତ ମହାନ୍ତି, ଅଶ୍ୱିନୀ ଦାସ, ପ୍ରଦୀପ ପ୍ରଧାନ, ସୁଧାଂଶୁ ପାତ୍ର, ରଶ୍ମିରଂଜନ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।