ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନୀଳଗିରି ଉପଜିଲାପାଳ ଡ. ମଧୁସ୍ମିତା ସାମନ୍ତରାଏ, ଜିଲା ଶିକ୍ଷା ଅଧିକାରୀ ବସନ୍ତ ନାୟକ, ସହକାରୀ ଜିଲା ମଙ୍ଗଳ ଅଧିକାରୀ ତଳୁଆର ଜେନା, ନୀଳଗିରି ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୈଳେନ୍ଦ୍ର ଶତପଥୀ, ଏବିଇଓ ଲମ୍ବୋଧର ସିଂ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଥିଲେ। ଏହି ସମୟରେ ଛାତ୍ରଙ୍କ ବାପା, ପ୍ରଧାନଶିକ୍ଷକ ରଘୁନାଥ ବୁଗୁଡ଼ାଇ ବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଶିକ୍ଷକ ଯତୀନ କୁମାର ପରିଡ଼ାଙ୍କ ଉପସ୍ଥିତି ଥିଲେ। ଏହି ଘଟଣାକୁ ଘୋର ନିନ୍ଦା କରିବା ପରେ ଜିଲାପାଳଙ୍କୁ ତଦନ୍ତ ବିଷୟରେ ଅବଗତ କରାଯାଇଥିଲା। ୪୦ ସିଟ୍‌ ଥିବା ଏହି ଛାତ୍ରାବାସରେ ଆଖପାଖ ଅଞ୍ଚଳର ପିଲାମାନେ ରହି ପାଠ ପଢ଼ିଥାନ୍ତି। କମାରଖାଲିଆ ଗ୍ରାମର ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ ଗୋଡ଼କୁ ଲୁହା ଜଞ୍ଜିରରେ ବନ୍ଧା ହୋଇଥିବା ଗତ ବୁଧବାର ଭିଡିଓ ଭାଇରାଲ ହେବା ପରେ ବାଲେଶ୍ବର ଏମ୍‌ପିି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହାର ଡଦନ୍ତ ପାଇଁ ବାଲେଶ୍ବର ଜିଲାପାଳ, ଜିଲା ମଙ୍ଗଳ ଅଧିକାରୀ ଏବଂ ନୀଳଗିରି ଉପ-ଜିଲାପାଳଙ୍କୁ ଅବଗତ କରିଥିଲେ। ବାଲେଶ୍ବର ଜିଲାପାଳ ଏଭଳି ନିନ୍ଦନୀୟ କାର୍ଯ୍ୟର ତଦନ୍ତ ପାଇଁ ଏକ ଟିମ ଗଠନକରି ନୀଳଗିରି ଉପ-ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ। ତଦନ୍ତ ପରେ ଶୁକ୍ରବାର ନୀଳଗିରି ଉପଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ନୀଳଗିରି ବ୍ଲକ ଶିକ୍ଷାଧିକାରୀ ସତ୍ୟରଞ୍ଜନ ଭୂୟାଁ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୁଗୁଡ଼ାଇ ଓ ସହକାରୀ ଶିକ୍ଷକ ପରିଡ଼ାଙ୍କୁ ନିଲମ୍ବିତ କରିଛନ୍ତି।

Share
Tags: odisha