ସାଙ୍ଗର ଜୀବନ ବଞ୍ଚାଇବାକୁ ଯାଇ ଚାଲିଗଲା ସାଙ୍ଗର ଜୀବନ

ଆନନ୍ଦପୁର,୧୮ା୫(ସୁଶାନ୍ତ କୁମାର ସାହୁ): ସାଙ୍ଗର ଜବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇବାକୁ ପଡ଼ିଛି ଜଣେ ସାଙ୍ଗକୁ। ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ସ୍ତବ୍ଧ ହୋଇପଡ଼ିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବଡପଦନା ଗାଁ। ଶନିବାର ସନ୍ଧ୍ୟାରେ ଗାଁର ୩ସାଙ୍ଗ ଶୁଭମ୍‌ ସାହୁ, ମାନସ ସାହୁ ଓ କାଳନ୍ଦୀ ସାହୁ ଗାଁଠାରୁ ମାତ୍ର ୨କିମି ଦୂର ଯାଜପୁର ଜିଲା ଅନ୍ଧାରୀ ଛକଠାରେ ଥିବା ଏକ ଫାଷ୍ଟଫୁଡ୍‌ ସେଣ୍ଟରକୁ ଜଳଖିଆ ଖାଇବାକୁ ଯାଇଥିଲେ। ଖାଇବା ସାମଗ୍ରୀ ପ୍ରସ୍ତୁତ ହେବା ପରେ ଗରମ ଓ ଗୁଳୁଗୁଳି ଯୋଗୁ ତିନି ସାଙ୍ଗ ଫାଷ୍ଟଫୁଡ୍‌ ସେଣ୍ଟରର ଛାତ ଉପରେ ବସି ଖାଇବାର ମଜା ନେବାକୁ ନିଷ୍ପତ୍ତି ନେଇଥିଲେ। କରିଥିଲେ। ହେଲେ ଛାତ ଉପରେ ଜଗି ରହିଥିଲା ଯମ। ଉପରେ ବସି ଖାଇବା ସମୟରେ ଛାତ ଉପରେ ଯାଇଥିବା ୧୧କେଭ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ପ୍ରଥମେ ଆସିଯାଇଥିଲେ ମାନସ। ବିଦ୍ୟୁତ୍‌ ଆଘାତ ପାଇ ଚିତ୍କାର କରୁଥିବା ମାନସକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ଶୁଭମ। ହେଲେ ମାନସ ତ ବଞ୍ଚିଗଲେ କିନ୍ତୁ ଶୁଭମ ବିଦ୍ୟୁତ୍‌ ଆଘାତରେ ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ପହଞ୍ଚାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଳ୍ପକେ ବର୍ତ୍ତିଯାଇଛନ୍ତି ସାଙ୍ଗ କାଳନ୍ଦୀ ା ଏହି ଖବର ପ୍ରଚାରିତ ହେବାପରେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Share
Tags: dead friend