ବଣାଇଁ,୨୫ା୮(ପ୍ରଦୀପ ତ୍ରିପାଠୀ): ସୋମବାର ସକାଳୁ ବଣାଇଁ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଫଟୋ ଉଠାଇବାକୁ ବନବିଭାଗ ନେଉଥିବା ବେଳେ ପିକ୍ଅପ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ୭୧ ବର୍ଷ ମହିଳା ପଞ୍ଚମୀ ପାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ହୋଇଛନ୍ତି ୧୪ ଜଣ। ଗୁରୁତରଙ୍କ ମଧ୍ୟରେ ଶିଶୁ ଓ ବୃଦ୍ଧା ଥିବା ଦେଖି ଏକ ଭିନ୍ନ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଛି। ଏ ସମସ୍ତ ଶ୍ରମିକ କେନ୍ଦ୍ରିକଳା ଗ୍ରାମର ଓ କେଲୋ ଅଞ୍ଚଳକୁ ବନବିଭାଗ ପକ୍ଷରୁ ଯାଉଥିଲେ। ବନବିଭାଗ ପକ୍ଷରୁ ସେମାନଙ୍କୁ ଦୀର୍ଘଦିନ ହେବ କେବଳ ଫଟୋ ଉଠାଇବା ନାଁରେ ନିଆଯାଉ ଥିଲା ଓ କିଛି ଟଙ୍କା ଦେଇ ପୁଣି ଘରେ ଛାଡୁଥିବା ବିଷୟ ଆଜିର ଘଟଣା ପରେ ଜଣାପଡ଼ିଛି। ତେବେ ଏନ୍ଆର୍ଇଜିଏ କାମ ନାଁରେ ଏମାନଙ୍କୁ ଫଟୋ ଉଠାଇ ନେଉଥିବା ବନବିଭାଗର ଦେଖା ନ ଥିବାରୁ ଶତାଧିକ ଗ୍ରାମବାସୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ପ୍ରବଳ ପାଟିତୁଣ୍ଡ କରୁଛନ୍ତି। ଗୁରୁତର ୧୪ ଜଣଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ହସ୍ପିଟାଲ ପରିସରରେ ବଣାଇଁ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି।
ଅପରପକ୍ଷରେ ବନବିଭାଗର ଛୋଟରୁ ବଡ଼ କର୍ମଚାରୀ କେହି ଫୋନ୍ ନ ଉଠାଇବା ଓ ଚିକିତ୍ସାଳୟକୁ ନ ଆସିବା ନେଇ ଉତ୍ତେଜନା ଅସମ୍ଭବ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଫଟୋ ପାଇଁ ଯାଇ ଫଟୋ ହୋଇ ଫେରିଲେ ବୋଲି ଚର୍ଚ୍ଚା ହେଉଛି।