ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ । ପୂଜାରୀଭରଣ୍ଡୀ ଗ୍ରାମର କିଛି ପରିବାର ନିଜ ମୂଳ ଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିଥିଲେ । ଏହି ଭିତରେ ବିଳମ୍ବିତ ରାତିରେ ଜଣେ ଧର୍ମ ପରିବର୍ତ୍ତନ କରିଥିବା ପରିବାରଙ୍କ ମଧ୍ୟରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ସେମାନେ ହିନ୍ଦୁଧର୍ମ ଛାଡିଥିବା ଯୋଗୁ ସେମାଙ୍କୁ ଗ୍ରାମର ଶ୍ମଶାନ ସତ୍କାର ପାଇଁ ଜାଗା ଦେବୁ ନାହିଁ ବୋଲି ଜିଦ ଧରି ବସିଛନ୍ତି ଗ୍ରାମବାସୀ, ଯଦି ଉକ୍ତ ପରିବାର ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ମୃତଦେହ ସତ୍କାର କରିବେ ତାହେଲେ ଆମେ ଗାଁ ଶ୍ମଶାନରେ ଜାଗା ଦେବୁ ବୋଲି କହିଛନ୍ତି। ନଚେତ ସେମାନଙ୍କ ଧର୍ମର ଶ୍ମଶାନକୁ ନେଇ ସତ୍କାର କରନ୍ତୁ ବୋଲି କହିଛନ୍ତି ହିନ୍ଦୁ ଧର୍ମାଲମ୍ବୀ ଲୋକେ। ଏହାକୁ ନେଇ ଗ୍ରାମରେ ଏକ ପ୍ରକାର ଉତେଜନା ଜାରି ରହିଛି । ଘଟଣାସ୍ଥଳରେ ଉମରକୋଟ ପୋଲିସ ଉପସ୍ଥିତ ରହି ଲୋକଙ୍କୁ ବୁଝାଶୁଝା କରୁଥିବା ବେଳେ ସମସ୍ତେ ନିଜ ନିଜ ଜିଦରେ ଅଟଳ ଅଛନ୍ତି ।
ଅନ୍ୟପଟେ ମୃତ ପରିବାର ଲୋକଙ୍କ କହିବା କଥା ଆମେ ଦୀର୍ଘ ଦିନ ହେଲା ଗ୍ରାମରେ ବସବାସ କରୁଛୁ ତେଣୁ ଆମ ମୌଳିକ ଅଧିକାରକୁ ଚପାଇ ଦେବାକୁ ଅନ୍ୟ ପକ୍ଷର ଲୋକେ ଉଦ୍ୟମ କରୁଛନ୍ତି। ଏମିତି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର।

Dharitri – Odisha’s No.1 Odia Daily

Share