ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଜୁନିୟର କଲେଜରେଯୁକ୍ତ ୨ ପ୍ରଥମ ବର୍ଷରେ ପାଠ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତ ଟ୍ୟୁସନ ଶିକ୍ଷକ ଏସ.ସନାତନ ରେଡ୍ଡୀଙ୍କୁ ଶୁକ୍ରବାର ଦିଗପହଣ୍ଡି ଥାନା ଏସ.ଆଇ ସୋଫିଆ ମିଶ୍ର ଗିରଫ କରି ବ୍ରହ୍ମପୁର ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୨୦୯/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଗ୍ରାମର ଟ୍ୟୁସନ ଶିକ୍ଷକ ସନାତନ ଏବଂ ଏସ. କ୍ରିଷ୍ଣା ରେଡ୍ଡୀ ଉଭୟେ ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିଲେ। ଛାତ୍ରୀ ଜଣକ ମନା କରିବାରୁ ଉଭୟେ କୌଶଳ କ୍ରମେ ଛାତ୍ରୀଙ୍କ ଫଟୋ, ମୋବାଇଲ କଲ ରେକର୍ଡ,ମେସେଜ ଗୁଡ଼ିକୁ ତାଙ୍କୁ ଦେଖାଇ ବ୍ଲାକ ମେଲିଂ କରିବା ସହ ସେସବୁ ସୋସିଆଲ ମିଡ଼ିଆରେ ଭାଇରାଲ କରିବାକୁ ଧମକ ଦେଇ ଆସୁଥିଲେ। ଛାତ୍ରୀ ଜଣକ ତାଙ୍କ ଡାଇରୀ ଏବଂ ଟ୍ୟୁସନ ନୋଟ ଖାତାରେ ସମସ୍ତ ଘଟଣା ଉଲ୍ଲେଖ କରିବା ସହ ପରିବାର ଲୋକଙ୍କ ସାମାଜିକ ମର୍ଯ୍ୟାଦା ହାନି ହେବା ଆଶଙ୍କାକରିଭୟଭୀତ ଅବସ୍ଥାରେ ଗତ ୮ ତାରିଖ ସାରେ କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୯ ତାରିଖ ଭୋର ରେ ସେ ମୃତ୍ୟୁବରଣ କରିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରିଥିଲେ। ଗତ ୧୦ ତାରିଖରେ ଛାତ୍ରୀଙ୍କ ଭାଇ ଟ୍ୟୁସନ ଶିକ୍ଷକ ସନାତନଙ୍କୁ ଘରକୁ ଡ଼ାକି ପଚାରିବାରୁ ସେ ତାଙ୍କ ଭଉଣୀଙ୍କୁ ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରେମ ସମ୍ପର୍କ ରଖିଥିବା ସ୍ବୀକାର କରିଥଲେ । ଏନେଇ ନାବାଳିକା ଛାତ୍ରୀଙ୍କ ଭାଇ ଗୁରୁବାର ଦିଗପହଣ୍ଡି ଥାନାରେ ଏତଲା ଦେବାପରେ
ଡିଏସପି ପ୍ରଶାନ୍ତ କୁମାର ପାତ୍ର ଉଭୟ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଛାତ୍ରୀଙ୍କ ଡାଇରୀ, ନୋଟ ଖାତା,ମୋବାଇଲରେ ଥିବା ଫଟୋ,ମେସେଜ,କଲ ରେକର୍ଡ ପ୍ରଭୃତି ଜବତ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ଏସ.କ୍ରିଷ୍ଣା ରେଡ୍ଡୀ ଗିରଫ ଭୟରେ ଫେରାର ଥିବା ଜଣାପଡିଛି।