dhana gacha - paddy field submerged in water
ବେଗୁନିଆ,୨୩ା୫(ଡି.ଏନ୍.ଏ.): ସାମୁଦ୍ରିକ ଝଡ଼ ‘ଜଓ୍ବାଦ’ରେ ପ୍ରଭାବିତ ହୋଇଥିଲେ ଚାଷୀକୁଳ। ଧାନ ଓ ପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳର ଚାଷୀଙ୍କ ଫସଲ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସହାୟତା ଯୋଗାଇଦେବାକୁ ପ୍ୟାକେଜ୍ ଘୋଷଣା କରିଥିଲେ। ତେବେ ବାତ୍ୟାକୁ ୫ମାସ ବିତିଯାଇଥିଲେ ମଧ୍ୟ ଚାଷୀଙ୍କୁ କ୍ଷତିପୂରଣ ମିଳିପାରି ନାହିଁ। ଅନ୍ୟପକ୍ଷରେ ଚାଷୀଙ୍କ ପାଇଁ ଆସିଥିବା ଡାଲି ଜାତୀୟ ବିହନ କିଟ୍ ବଣ୍ଟନ ହୋଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଥାଉ କି, ୨୦୨୧-୨୨ ଖରିଫ ଋତୁ ଆରମ୍ଭରୁ ବେଗୁନିଆ ବ୍ଲକ ଅଞ୍ଚଳର ଚାଷୀ ୧୩ହଜାର ହେକ୍ଟର ଜମିରେ ଧାନ ଫସଲ ଓ ୨ହଜାର ହେକ୍ଟରରେ ପରିବା ଫସଲ କରିଥିଲେ। ଚାଷ କାର୍ଯ୍ୟ ଆରମ୍ଭରୁ ସ୍ବଳ୍ପ ବୃଷ୍ଟି ଯୋଗୁ ସମସ୍ୟା ଦେଖାଦେଇଥିଲା। ପରେ ବର୍ଷା ସ୍ବାଭାବିକ ହେବା ଯୋଗୁ କୃଷିି କାର୍ଯ୍ୟ ଆଗେଇଥିଲା। ତେବେ ଧାନ ଫସଲ ଅମଳ ସମୟରେ ତଥା ଡିସେମ୍ବର ୪ରେ ‘ଜଓ୍ବାଦ’ ଯୋଗୁ ନଷ୍ଟ ହୋଇଯାଇଥିଲା।
କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ୩୩% ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଅଣ ଜଳସେଚିତ ଉପରେ ନିର୍ଭର କରୁଥିବା ଜମି ପାଇଁ ହେକ୍ଟର ପିିଛା ୬୮୦୦ ଟଙ୍କା ଓ ଜଳସେଚିିିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କା ସହାୟତା ଦିଆଯିବ। ଫଳ ଚାଷୀଙ୍କୁ ହେକ୍ଟର ପିଛା ୧୮ ହଜାର ଟଙ୍କା ସହାୟତା ମିଳିିବ। ଏଥିସହ ଚାଷୀଙ୍କୁ ଡାଲି ଜାତୀୟ ବିହନ କିଟ୍ ଯୋଗାଇ ଦିଆଯିବ। ସେହିପରି ଆବଶ୍ୟକ କୃଷି ଯନ୍ତ୍ରପାତି ରିହାତି ଦରରେ ଯୋଗାଇ ଦିଆଯିବ। ରାଜସ୍ବ ଓ କୃଷି ବିଭାଗର ମିଳିତ ଏକ ଅନୁଧ୍ୟାନ ଦଳ କ୍ଷେତ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିଲେ। ଏହି ବ୍ଲକର ୨୧ଟିି ପଞ୍ଚାୟତର ୧୬୨ଟି ରାଜସ୍ବ ଗ୍ରାମର ମୋଟ୍ ୮୫୦୦ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି ବୋଲି କ୍ଷତିିଗ୍ରସ୍ତ ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ଇନପୁଟ ସବ୍ସିଡି ଭାବେ ଚାଷୀଙ୍କୁ ସର୍ବନିମ୍ନ ୨ହଜାର ଟଙ୍କା ଓ ଅନ୍ୟାନ୍ୟ ଫସଲ ପାଇଁ ୧ ହଜାର ଟଙ୍କା ଦିିଆଯିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ସହାୟତା ପ୍ରଦାନରେ ବିିଭାଗ ପକ୍ଷରୁ ଅବହେଳା କରାଯାଇଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ପୁଣି ଏବେ ଖରିିଫ ଋତୁ ଆରମ୍ଭ ହେଲାଣି। ସହାୟତା ମିଳିଲେ ଚାଷ କାର୍ଯ୍ୟରେ ଲଗାଇବେ ବୋଲିି ଆଶା ବାନ୍ଧି ବସିଛି ଚାଷୀ। ତେବେ ଚାଷୀଙ୍କୁ କେବେ ସହାୟତା ମିଳିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ତହସିଲଦାର ପୃଥ୍ବୀରାଜ ମଣ୍ଡଳ କୁୁହନ୍ତି, ସହାୟତା ବଣ୍ଟନ ପାଇଁ ବିଧିବଦ୍ଧ ଭାବେ ପ୍ରକ୍ରିୟା ଜାରି ରହିଛି। ଖୁବ୍ଶୀଘ୍ର ଚାଷୀଙ୍କ ଆକାଉଣ୍ଟରେ ରାଶି ଜମା କରାଯିିବ।