ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି । ଉଭୟ ଦଳର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ଭାରତୀୟ ଦଳର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରବିବାର ସନ୍ଧ୍ୟାରେ ଏକାକୀ ପ୍ରାକ୍ଟିସ୍ ପାଇଁ ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ ।

ହାର୍ଦ୍ଦିକ ବିନା ଦର୍ଶକରେ ନେଟ୍ ବୋଲରଙ୍କ ସହ ଅଭ୍ୟାସ କରିଥିଲେ । ଅଭ୍ୟାସ ପରେ ସେ ଫଟୋ ଅପଲୋଡ୍ କରି ଏହି ସୂଚନା ଦେଇଛନ୍ତି । ଶନିବାର ରାତିରେ ହାର୍ଦ୍ଦିକ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଥିଲା । ସେ ଏହି ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବେ ।

ରବିବାର ଅପରାହ୍ନରେ ଭାରତୀୟ ଏବଂ ଦକ୍ଷିଣ ଆଫ୍ରିକା ଦଳର ଅନ୍ୟ ଖେଳାଳିମାନେ ମଧ୍ୟ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ଉଭୟ ଦଳକୁ ହୋଟେଲ୍‌ରେ ଭବ୍ୟ ସ୍ୱାଗତ କରାଯାଇଛି ।ସୋମବାର ଦିନ ସାଢ଼େ ୧୧ଟାରେ ଭାରତୀୟ ଦଳର ନେଟ୍ ପ୍ରାକ୍ଟିସ୍ ବାରବାଟୀରେ ଅନୁଷ୍ଠିତ ହେବ । ଦକ୍ଷିଣ ଆଫ୍ରିକା ଟିମ୍ ସୋମବାର ସନ୍ଧ୍ୟାରେ ଫ୍ଲଡ୍ ଲାଇଟ୍ ତଳେ ଅଭ୍ୟାସ କରିବ ।ଖେଳାଳିଙ୍କ ଅଭ୍ୟାସ ଦେଖିବା ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରଖାଯିବାର ବ୍ୟବସ୍ଥା କରାଯାଇଛି ।

Share