ରାଉରକେଲା,୩।୨(ସଂଗୀତା ଜେନା) ରାଜ୍ୟ ସରକାରଙ୍କ ନୂତନ ମାଓବାଦୀ ଆତ୍ମସମର୍ପଣ ନୀତିରେ ଆକୃଷ୍ଟ ହୋଇ ମଙ୍ଗଳବାର ଅପରାହ୍ନରେ ରାଉରକେଲା ପୋଲିସ ନିକଟରେ ସମର୍ପଣ କରିଛନ୍ତି ଜଣେ ହାର୍ଡକୋର୍ ମାଓବାଦୀ । ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଏବଂ ରାଉରକେଲା ଏସପି ନୀତେଶ ୱାଧୱାନିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ୧୮ ବର୍ଷୀୟ ମାଓବାଦୀ ପ୍ରଭୁ। ସେ ଦୁଇ ବର୍ଷ ହେଲା ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ। ତାଙ୍କ ଉପରେ ୨ ଲକ୍ଷ ୬୫ ହଜାର ଟଙ୍କା ପୁରସ୍କାର ରହିଥିଲା।
ମାଓବାଦୀ ସଙ୍ଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ନେଇ ପ୍ରଭୁ ସମର୍ପଣ କରିଥିବା ସୂଚନା ମିଳିଛି। ସରକାରଙ୍କ ନୂତନ ମାଓବାଦୀ ସମର୍ପଣ ନୀତି ଅନୁସାରେ ତାଙ୍କୁ ଥଇଥାନ କରାଯିବ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଶିକ୍ଷାଠାରୁ ଆରମ୍ଭ କରି ଜୀବିକା ପର୍ଯ୍ୟନ୍ତ ଦାୟିତ୍ୱ ସରକାର ନେବେ ବୋଲି ଡିଆଇଜି ଏବଂ ଏସ୍ପି କହିଛନ୍ତି। ଏପରିକି ପ୍ରଭୁ ଗରିଲା କ୍ୟାମ୍ପର ସଦସ୍ୟ ରହିଥିବା ଜଣାପଡିଛି।

