କୋର୍ଟରେ ହାଜର ହେଲେ ହାର୍ଡକୋର୍‌ ମାଓବାଦୀ ଆଜାଦ

ମୋହନା୨୭।୧(ମନ୍ମଥ ମିଶ୍ର): ପୋଲିସ ହାର୍ଡକୋର୍‌ ମାଓବାଦୀ ଆଜାଦଙ୍କୁ ରିମାଣ୍ଡରେ ଆଣି ବୁଧବାର ମୋହନା JMFC କୋର୍ଟରେ ହାଜର କରିଛି। ମାଓବାଦୀ ସବ୍ୟସାଚୀ ପଣ୍ଡାଙ୍କ ଡାହାଣ ହାତ କୁହାଯାଉଥିବା ଡୁନା କେଶବ ରାଓ ଓରଫ ଆଜାଦ ଗଜପତି ଜଲାର ବିଭିନ୍ନ ସ୍ଥାନରେ ମାଓ ହିଂସା ଘଟାଇ ଥିଲେ। ତାଙ୍କ ନାମରେ ୨୦୦୮, ୨୦୦୯ ଏବଂ ୨୦୧୧ରେ ସମୁଦାୟ ୧୭ଟି ମାମଲା ରହିଛି।

ନୟାଗଡ଼ ଜିଲା ପୋଲିସ ଷ୍ଟେଶନରେ ନିଆଁ ଲଗାଇବା ସହ ଅସ୍ତ୍ର ଶସ୍ତ୍ର ଚୋରି ଘଟଣାରେ ୨୦୧୧ରେ ଆଜାଦଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ଭୁବନେଶ୍ବର ଝାରପଡ଼ା ଜେଲରେ ରଖା ଯାଇଥିଲା।

ଦୀର୍ଘ ୧୪ ବର୍ଷ ପରେ ସୁପ୍ରିମ କୋର୍ଟରେ ପିଟିସନ ଦାଖଲ କରିଥିଲେ ଆଜାଦ। ଫଳରେ ଆଜି କଡ଼ା ସୁରକ୍ଷା ବଳୟରେ ତାଙ୍କୁ ମୋହନା କୋର୍ଟରେ ହାଜର କରାଯାଇଛି। ତାଙ୍କ ନାମରେ ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା ବିଟ୍‌ ହାଉସ୍‌ ଉଡେଇବା, ମାନ୍ଦ୍ରାବାଜୁ ପୋଲିସ ସହିତ ଗୁଳି ବିନିମୟ, ଠିକାଦାର କ୍ୟାମ୍ପ ଉପରେ ଆକ୍ରମଣ ସହ ସରକାରୀ ବସ୍‌ ପୋଡି ଭଳି ବିଭିନ୍ନ ସଙ୍ଗୀନ ମାମଲା ରହିଛି।

ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ସମସ୍ତ ମାମଲାର ଶୀଘ୍ର ଶୁଣାଣି ପାଇଁ ଚଳିତ ମାସ ୨ ତାରିଖରେ ପାରଳାଖେମୁଣ୍ଡିରେ ସତନ୍ତ୍ର କୋର୍ଟ ଖୋଲାଯାଇଛି। ଯାହାକୁ ନେଇ ଆଜାଦଙ୍କୁ ମୋହନା କୋର୍ଟରେ ହାଜର କରାଯାଇଥିଲା। ସମସ୍ତ ମାମଲା ସଙ୍ଗୀନ ରହିଥିବା ହେତୁ ପାରଳାଖେମୁଣ୍ଡିରେ ସତନ୍ତ୍ର ଭାବେ ଶୁଣାଣି କରାଯିବା ନେଇ ଆଜାଦଙ୍କ ଓକିଲ ସନ୍ତୋଷ କୁମାର ପାଢ଼ୀ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି।