ତେଲ୍ ଆଭିଭ୍,୨୫।୧: ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ଗାଜାର ଶାସକ ହମାସ୍ ଆତଙ୍କବାଦୀମାନେ ଶନିବାର ଦ୍ୱିତୀୟ ପର୍ଯ୍ୟାୟରେ ଇସ୍ରାଏଲ୍ର ୪ ଜଣ ମହିଳା ସୈନ୍ୟଙ୍କୁ ମୁକ୍ତ କରିଛନ୍ତି। ମୁକ୍ତ ହୋଇଥିବା ସୈନ୍ୟମାନେ ହେଲେ କରିନା ଆରିଭ୍, ଡାନିଏଲା ଡିଲ୍ବୋଆ, ନାମା ଲେଭି ଏବଂ ଲିରି ଆଲ୍ବାଗ। ହମାସ୍ ସେମାନଙ୍କୁ ଆଣି ରେଡ୍କ୍ରସ୍କୁ ହସ୍ତାନ୍ତର କରିବା ପରେ ସେମାନଙ୍କ ଗାଡ଼ି ଗାଜା ଛାଡ଼ିଛି। ଏହା ବଦଳରେ ଇସ୍ରାଏଲ୍ ୨୦୦ ପାଲେଷ୍ଟିନୀୟ ବନ୍ଦୀଙ୍କ ମଧ୍ୟରୁ ପ୍ରଥମ ଦଫାରେ ୭୦ ଜଣଙ୍କୁ ମୁକ୍ତ କରିଦେଇଛି। ଗତ ଶନିବାର ଯୁଦ୍ଧବିରତିର ପ୍ରଥମ ଦିନରେ ହମାସ୍ ୩ ମହିଳା ପଣବନ୍ଦୀଙ୍କୁ ମୁକ୍ତ କରିଥିଲା ଏବଂ ଏହା ବଦଳରେ ଇସ୍ରାଏଲ୍ ୯୦ ପାଲେଷ୍ଟିନୀୟ ବନ୍ଦୀଙ୍କୁ ଛାଡ଼ିଦେଇଥିଲା।
ମୁକ୍ତ ହୋଇଥିବା ଇସ୍ରାଏଲୀ ମହିଳା ସୈନ୍ୟ ଗାଜା ସିଟି ପାଲେଷ୍ଟାଇନ୍ ସ୍କୋୟାରରେ ଏକ ମଞ୍ଚ ଉପରେ ଛିଡ଼ାହୋଇ ଉପସ୍ଥିତ ଲୋକମାନଙ୍କୁ ହାତ ହଲାଉଥିବା ଦେଖାଯାଇଛି। ସେମାନେ ସେନା ପୋଷାକରେ ଥିଲେ। ଇସ୍ରାଏଲ୍ ୭୦ ବନ୍ଦୀଙ୍କୁ ମୁକ୍ତ କରିଥିଲେ ମଧ୍ୟ ସେମାନଙ୍କୁ ଗାଜା ଷ୍ଟ୍ରିପ୍ କିମ୍ବା ଓ୍ବେଷ୍ଟବ୍ୟାଙ୍କ ଯିବାକୁ ଅନୁମତି ମିଳିନାହିଁ। ସେମାନେ ଇଜିପ୍ଟ ପାର୍ଶ୍ୱର ରାଫାହ ସୀମାରେ ପହଞ୍ଚିଛନ୍ତି। ହମାସ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧବିରତି ପାଇଁ ଇଜିପ୍ଟ ଅନ୍ୟତମ ମୁଖ୍ୟ ମଧ୍ୟସ୍ଥ ଭାବେ ବର୍ଷେ ହେଲା ଉଦ୍ୟମ ଚଳାଇଥିଲା।

