ପାଣିକୋଇଲି/କୋରେଇ,୨୩।୧(ବିକାଶ ମଲ୍ଲିକ/ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ଷଠିପୁର-ଯାଜପୁର ରାସ୍ତାର ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିକଟରେ ଗୁରୁବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ହାଇଓ୍ବା ଚକା ତଳେ ୩ ବାଇକ୍ ଆରୋହୀ ପଶିଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁହୋଇଛି। ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି।
ମୃତକ ହେଲେ ଶୀତଳେଶ୍ୱରର ପ୍ରମୋଦ କୁମାର ବେହେରା। ଗୁରୁତର ହେଲେ ବିଞ୍ଝାରପୁର ଥାନା ପ୍ରୀତିପୁରର ଗଦାଧର ବେହେରା ଓ ମଇଦଁା ବରୁଣେଶ୍ୱର ଲେଙ୍କା ସାହିର ତ୍ରିଲୋଚନ ବେହେରା। ମୃତକଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ଯାଜପୁର ମେଡିକାଲ ପଠାଯାଇଥିବାବେଳେ ଗୁରୁତର ଦ୍ୱୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଏହାପରେ ଲାଇଟ ଓ ହମ୍ସ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଥିଲେ। ପାଣିକୋଇଲି ଥାନାଧିକାରୀ ରଞ୍ଜିତ ମହାନ୍ତି, ଏସ୍ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଓ ଯାଜପୁର ତହସିଲଦାର ଅରବିନ୍ଦ ବେହେରା ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଲୋକଙ୍କ ଦାବି ଅନୁଯାୟୀ ସେଠାରେ ଏକ ଲାଇଟ ପୋଷ୍ଟ, ଉଭୟ ପଟରୁ ହମ୍ପ୍ସ ନିର୍ମାଣ କରିବାର ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକୋ ହଟିଥିଲା।
ସୂଚନା ମୁତାବକ, ଯାଜପୁର ଟାଉନ ପଟୁ ଏକ ହାଇୱା ଷଠିପୁର ଅଭିମୁଖେ ଦ୍ରୁତଗତିରେ ଆସୁଥିଲା। ଏହି ସମୟରେ ଏକ ବାଇକ୍ରେ ସମ୍ପୃକ୍ତ ୩ ଜଣ ଷଠିପୁରରୁ ଯାଜପୁର ଯାଉଥିବାବେଳେ ରଙ୍ଗ୍ରୁଟରେ ଭାରସାମ୍ୟ ହରାଇ ଡିଭାଇଡରେ ପିଟିହୋଇ ହାଇୱା ଚକା ତଳେ ପଡ଼ିଯାଇଥିଲେ। ପୋଲିସ ହାଇୱା ଓ ବାଇକ୍କୁ ଜବତ କରି ତଦନ୍ତ ଜାରି ରଖିଛି।