ଗଜପତି,୧୫।୧(ଗିରିଧାରୀ ପରିଚ୍ଛା): ରାଜ୍ୟରେ ସ୍ବାସ୍ଥ୍ୟ ସେବାର ବିକାଶ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ଗଜପତି ଜିଲା ଗୁମ୍ମା ବ୍ଲକରୁ ଏକ ଅତ୍ୟନ୍ତ ସ୍ପର୍ଶକାତର ତଥା ଦୁଃଖଦାୟକ ଚିତ୍ର ସାମ୍ନାକୁ ଆସିଛି। ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହକୁ ସମ୍ମାନ ମିଳିବା ତ ଦୂରର କଥା, ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଶେଷରେ ବାଇକରେ ଶବ ବୁହାଯାଇଥିବା ଦୃଶ୍ୟ ଦେଖାଯାଇଛି। ଏହି ଘଟଣା ସରକାରଙ୍କ ’ମହାପ୍ରୟାଣ’ ଯୋଜନାର ଅସଲ ମୁଖା ଖୋଲି ଦେଇଛି।
ସୂଚନା ମୁତାବକ, ସେରଙ୍ଗ ଗ୍ରାମର ୬୩ ବର୍ଷୀୟ ଚନ୍ଦ୍ର ଧ୍ୱଜ ସିଂ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଗୁମ୍ମା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ମୃତଦେହକୁ ନିଜ ଗାଁକୁ ନେବା ପାଇଁ ହସ୍ପିଟାଲରେ କୌଣସି ସରକାରୀ ଶବବାହୀ ଗାଡ଼ି କିମ୍ବା ଆମ୍ବୁଲାନ୍ସ ମିଳି ନ ଥିଲା। ସେଠାରେ ଥିବା ସୁରକ୍ଷାକର୍ମୀମାନେ ଅଟୋ ରିକ୍ସାରେ ମୃତଦେହ ନେବାକୁ ପରାମର୍ଶ ଦେଇଥିଲେ ହେଁ ଅଟୋ ଚାଳକ ୮ ରୁ ୯ ହଜାର ଟଙ୍କା ମାଗିଥିଲେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ପରିବାରଲୋକେ ବାଧ୍ୟ ହୋଇ ଏକ ବାଇକରେ ମୃତଦେହକୁ ବାନ୍ଧି ନିଜ ଗାଁକୁ ନେଇଥିଲେ।
୨୦୧୬ ମସିହାର ଦାନ ମାଝୀ ଘଟଣା ପରେ ରାଜ୍ୟରେ ମୃତଦେହକୁ ସମ୍ମାନର ସହ ପହଞ୍ଚାଇବା ପାଇଁ ମହାପ୍ରୟାଣ ଯୋଜନା ହୋଇଥିଲା, କିନ୍ତୁ ଆଜି ବି ଉପାନ୍ତ ଅଞ୍ଚଳରେ ଲୋକେ ଏଥିରୁ ବଞ୍ଚିତ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱହୀନତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।