ଦାରିଙ୍ଗବାଡ଼ି,୮ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ବୁଡ଼ାଗୁଡ଼ାକୁ ସଂଯୋଗ କରୁଥିବା ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀରେ ଅସ୍ଥାୟୀ ପୋଲ ଧୋଇ ହୋଇଯିବା ପରେ ବିକଳ୍ପ ରାସ୍ତା ଭାବେ ତିଲୋରୀଠାରୁ ଲକଟି ଗ୍ରାମ ଦେଇଯାଇଥିବା ୫୯ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାକୁ ପକ୍କା ରାସ୍ତା କରାଯିବା ପାଇଁ ଅଞ୍ଚଳବାସୀ ପକ୍ଷରୁ ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଏକ ଦାବିପତ୍ର ଗ୍ରାମବାସୀଙ୍କ ପକ୍ଷରୁ ଦିଆଯାଇଛି। ପ୍ରାୟ ୫ କିମି ରାସ୍ତାକୁ ମରାମତି କିମ୍ବା ନୂତନ ଭାବେ ସମ୍ପ୍ରସାରଣ କାର୍ଯ୍ୟ କରାଗଲେ ମୁଖ୍ୟ ରାସ୍ତାରେ କୌଣସି ସମସ୍ୟା ହେଲେ ବିକଳ୍ପ ରାସ୍ତାରେ ଯାତାୟାତ ହୋଇପାରିବ ବୋଲି କୁହାଯାଇଛି। ସେହିପରି ତିଲୋରୀଠାରୁ ଉକ୍ତ ରାସ୍ତାରେ ବାଲିଗୁଡା ଏବଂ ଫୁଲବାଣୀକୁ ମଧ୍ୟ ଯାତାୟାତରେ ପାଖ ବାଟ ପଡ଼ିବ ବୋଲି କୁହାଯାଇଛି।
ପ୍ରକାଶ ଯେ, ତିଲୋରୀ ଗୁମାଡ଼ି ନଦୀ ଉପରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ସେଥିପାଇଁ ଏକ ଅସ୍ଥାୟୀ ପୋଲ କରାଯାଇଛି। ତେବେ ଚଳିତବର୍ଷ ଲଗାଣ ବର୍ଷା ଯୋଗୁ ନୂତନ ପୋଲ ନିର୍ମାଣ କାର୍ଯ୍ୟ ସରିପାରୁ ନ ଥିବାବେଳେ ଅସ୍ଥାୟୀ ପୋଲ ବର୍ଷା କାରଣରୁ ବାରମ୍ବାର ଧୋଇ ହୋଇଯାଉଛି। ଫଳରେ ସିମନବାଡ଼ିଠାରୁ ବୁଡ଼ାଗୁଡ଼ା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏବେ ଅଞ୍ଚଳବାସୀ ଗୁମାଡ଼ି ନଦୀରେ ବିରାଟ ଗଣ୍ଡି ପକାଯାଇ ତାହାରି ଉପରେ ଯାତାୟାତ କରୁଥିବା ଜଣାପଡ଼ିଛି।