ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା ହେବାର ପ୍ରାୟ ଏକ ବର୍ଷ ପରେ ସ୍ତ୍ରୀ ବର୍ଷା ଗୁରୁବାର ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ଅନେକ ଅଭିଯୋଗ ଆଣିଥିଲେ। ଏହା ପରେ ପାଲଟା ଅଭିଯୋଗ ଆଣିଛନ୍ତି କମେଡିଆନ ଗୁଲୁଆ।
ସେ କହିଛନ୍ତି, ମୁଁ ବର୍ଷାଙ୍କୁ ବାଡ଼ାଇ ନାହିଁ ବରଂ ସେ ମୋତେ ପ୍ରଥମେ ବାଡ଼ାନ୍ତି। ସେ ମୋତେ ଏବଂ ମୋ ବାପାଙ୍କୁ ରାତିରେ ଫୋନ କରି ଧମକ ଦେଇଛନ୍ତି। ମୋତେ ବର୍ଷା କୋଟିଏ ଟଙ୍କା ମାଗିଥିଲେ। ଘର ପାଖକୁ ଗୁଣ୍ଡା ନେଇ ଅନେକ ଥର ଆସିଥିଲେ। ମୋ ଶ୍ବଶୁର ମୋତେ ଗୋଟିଏ ଟଙ୍କା ଦେଇନାହାନ୍ତି। ଅଯଥା ମୋତେ ବଦନାମ କରାଯାଉଛି, ଅପରାଧୀ ସଜାଉଛନ୍ତି ବର୍ଷା। ମୁଁ ବର୍ଷାଙ୍କ ସହ ଚାପରେ ବାହା ହୋଇଥିଲି। ବାହା ନ ହେଲେ ଜୀବନ ହାରିବେ ବୋଲି ମୋତେ ଧମକ ଦେଇଥିଲେ। ବାହା ହେବା ପରେ ବର୍ଷା ମୋତେ ନିର୍ଯାତନା ଦେଇଛନ୍ତି। ଶାରିରୀକ ସଂପର୍କ ରଖିବାକୁ ବର୍ଷା ମୋତେ ମନା କରିଥିଲେ ବୋଲି ଗୁଲୁଆ କହିଛନ୍ତି।
ସୂଚନାଯୋଗ୍ୟ, ଗୁଲୁଆ ଗୁରୁବାର ସକାଳେ ଜୀବନ ପ୍ରତି ବିପଦ ଥିବା କହିଥିଲେ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସହାୟତା ମାଗିଥିଲେ। ସେଥିରେ କାହାରି ନାଁ ନ ନେଇ ଭାବବିହ୍ବଳ ହୋଇ ତାଙ୍କୁ ହତ୍ୟା ଧମକ ଦେବା ସହ ୫୦ ଲକ୍ଷ ଟଙ୍କା ମଗାଯାଉଥିବା ଅଭିଯୋଗ କରିଥିଲେ। ଗଲା କିଛି ଦିନ ଧରି ତାଙ୍କୁ ହତ୍ୟା ଧମକ ଦିଆଯାଉଥିବାରୁ ସେ ମାନସିକ ଚାପରେ ରହିଛନ୍ତି। ଏନେଇ ପ୍ରଶାସନ ଓ ପୋଲିସକୁ ସହାୟତା ପାଇଁ ନିବେଦନ କରିଥିଲେ।
ପରେ ତାଙ୍କ ସ୍ତ୍ରୀ ତଥା ୟୁଟ୍ୟୁବର ବର୍ଷା ସାହୁ ମୁହଁ ଖୋଲିଥିଲେ । ସେ କହିଥିଲେ, ବିବାହ ପରେ କିଛିଦିନ ଭଲରେ ଚାଲିଥିଲା। କିନ୍ତୁ ତାଙ୍କ ପରକୀୟା ପ୍ରୀତି ଯୋଗୁ ଧୀରେ ଧୀରେ ଆମ ସମ୍ପର୍କ ଖରାପ ହୋଇଥିଲା। ଗୁଲୁଆ ମୋତେ ବାଡ଼େଇ ଘରୁ ବାହାର କରିଦେଇଥିଲେ। ମୋ ପାଖରେ ମେଡିକାଲ ରିପୋର୍ଟ ଅଛି। ତାଙ୍କ ଫ୍ୟାମିଲି ମୋତେ ନିର୍ଯାତନା ଦେଇଛନ୍ତି। ମୁଁ ବର୍ଷେ ହେଲା ଚୁପ୍‌ ଥିଲି। ମୁଁ ତାଙ୍କ ସ୍ତ୍ରୀ ମୋତେ ପଚାରୁନାହାନ୍ତି। ଅନ୍ୟ ଝିଅଙ୍କ ସହ ବହୁତ ଜାଗାରେ ସମୟ ବିତାଉଛନ୍ତି। ମନାଲିରେ ମଧ୍ୟ ଝିଅଙ୍କୁ ନେଇ ସମୟ ବିତାଉଥିଲେ। ଗୁଲୁଆ ଯେତେ ଝିଅଙ୍କ ସହ ସଂପର୍କରେ ଅଛନ୍ତି ସମସ୍ତଙ୍କ ଭିଡିଓ ମୋ ପାଖରେ ଅଛି। ତାଙ୍କ ସବୁ କଳାଚିଠା ମୋ ହାତରେ। ମୁଁ ଏସବୁ କୋର୍ଟରେ ଉପସ୍ଥାପନ କରିବି।
Dharitri – Odisha’s No.1 Odia Daily

Share