ଅହମଦାବାଦ,୨୯।୩: ଇଣ୍ଡିଆନ ପ୍ରିମିୟର ଲିଗ୍ର ଶନିବାର ଅନୁଷ୍ଠିତ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୩୬ ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ ସହାୟତାରେ ଗୁଜରାଟ ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୧୯୬ ରନ୍ କରିଥିଲା। ୧୯୭ ରନ୍ ବିଜୟ ଲକ୍ଷ୍ୟରେ ମୁମ୍ବାଇ ୨୦ ଓଭରରେ ୬ ଉଇକେଟ ହରାଇ ୧୬୦ ରନ୍ କରି ପାରିଥିଲା। ରୋହିତ ଶର୍ମା ପୁଣି ଫେଲ୍ ମାରିଥିବା ବେଳେ ସୂର୍ଯ୍ୟକୁମାର ଯାଦବଙ୍କ ଦ୍ରୁତ ୪୮ (୨୮ ବଲ, ୧ ଚୌକା, ୪ ଛକା) ଓ ତିଲକ ବର୍ମାଙ୍କ ୩୯ ରନ ପର୍ଯ୍ୟାପ୍ତ ହୋଇ ନ ଥିଲା।
ଗୁଜରାଟ ବୋଲରଙ୍କ ମଧ୍ୟରେ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଲେଖାଏ ଉଇକେଟ ନେଇଥିଲେ। ୨ ମ୍ୟାଚରୁ ଗୁଜରାଟ ପ୍ରଥମ ବିଜୟ ହାସଲ କରି ପଏଣ୍ଟ ଖାତା ଖୋଲିଛି। ଅନ୍ୟ ପକ୍ଷରେ ମୁମ୍ବାଇ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ନିଜର ପ୍ରଥମ ମ୍ୟାଚରେ ଏହି ଦଳ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ହାରିଥିଲା।


