ଶିକାରୀଙ୍କ ଗୁଳିରେ ସବୁଜ ବାହିନୀ କର୍ମଚାରୀ ଗୁରୁତର

ବାରିପଦା ଅଫିସ/ଖୁଣ୍ଟା/ଉଦଳା, ୨୪।୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅଧୀନ ତଥା ଶିମିଳିପାଳ ଅଭୟାରଣ୍ୟର ଭଞ୍ଜବସା ଅଞ୍ଚଳରେ ଗୁରୁବାର ଶିକାରୀଙ୍କ ଗୁଳିରେ ଜଣେ ସବୁଜବାହିନୀ କର୍ମଚାରୀ ଗୁରୁତର ହୋଇଛନ୍ତି। ସେ ହେଲେ ସୁନାରାମ ସିଂ। ବିଭିନ୍ନ ଅଞ୍ଚଳରେ ଜଙ୍ଗଲରେ ନିଅଁା ଲଗାଇ ଦିଆଯାଉଥିବାରୁ ୫ ବନ କର୍ମଚାରୀଙ୍କ ସମେତ ସବୁଜ ବାହିନୀ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ସହ ମୁହଁାମୁହିଁ ହେବାରୁ ଏହି ଘଟଣା ଘଟିଥିଲା। ଧରାପଡ଼ି ଯିବା ଭୟରେ ଶିକାରୀମାନେ ବନ କର୍ମଚାରୀଙ୍କ ଉପରକୁ ଦେଶୀ ବନ୍ଧୁକ ସାହାଯ୍ୟରେ ଆଖିବୁଜା ଗୁଳି ଚଳାଇଥିଲେ। ପାଟ୍ରୋଲିଂରେ ଥିବା ସବୁଜ ବାହିନୀ କର୍ମଚାରୀ ସୁନାରାମଙ୍କ ଦୁଇ ଜଙ୍ଘରେ ୩ରୁ ଅଧିକ ଗୁଳି ବାଜିଥିବା ବେଳେ ଶିକାରୀମାନେ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବନ କର୍ମଚାରୀମାନେ ଆହତ ସୁନାରାମଙ୍କୁ ଉଦ୍ଧାର କରି ପ୍ରଥମେ ଉଦଳା ଓ ପରେ ବାରିପଦା ସ୍ଥିତ ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରିଥିଲେ। ଫେରାର ହୋଇ ଯାଇଥିବା ଶିକାରୀମାନେ ୨ଟିି କୁଟାରୀ ଶିକାର କରିଥିବା ବନକର୍ମଚାରୀ କହିଛନ୍ତି। ଏ ସଂକ୍ରାନ୍ତରେ ବନବିଭାଗ ପକ୍ଷରୁ ଉଦଳା ଥାନାରେ ଏତଲା ଦିଆଯାଇଥିବା ଡୁକୁରା ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।