ଅଜାଙ୍କ ଶ୍ରାଦ୍ଧବାର୍ଷିକୀରେ ଭୋଜିରନ୍ଧା ଚୁଲିରେ ପଡ଼ି ନାତି ମୃତ

ମହାକାଳପଡ଼ା,୧୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ଅନ୍ତର୍ଗତ ପାରେଶ୍ୱରପୁର ଗ୍ରାମର ମଦନ ସୁନ୍ଦର ପ୍ରଧାନ ବାପାଙ୍କର ଶୁକ୍ରବାର ଶ୍ରାଦ୍ଧବାର୍ଷିକୀ ଭୋଜି ପାଇଁ ରୋଷେଇ ହେଉଥିଲା। ମଦନଙ୍କ ଏକମାତ୍ର ପୁତ୍ର ଓଁକାର ପ୍ରଧାନ(୪) ରୋଷେଇ ହେଉଥିବା ବେଳେ ଅସାବଧାନତା ଯୋଗୁ ପଛୁଆ ଖେଳି ଖେଳି ଯାଇ ଚୁଲିରେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲା ଚିକିତ୍ସାଳୟରେ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆଇସିୟୁ ଭେଣ୍ଟିଲେଟର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଥିଲା। ମଙ୍ଗଳାବାଗ ପୋଲିସ ମେଡିକାଲରେ ପହଞ୍ଚି ମୃତ ଶିଶୁକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରାଯାଇଛି ବୋଲି ପରିବାର ସୂତ୍ରରୁ କୁହାଯାଇଛି। ଏ ନେଇ ପରିବାର ପକ୍ଷରୁ ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ରଙ୍କୁ ଲିଖିତ ଅଭିଯୋଗ କରାଯାଇଛି। ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ରିପୋର୍ଟ କରିଛନ୍ତି।

Dharitri – The Largest & Most Trusted Odia Daily

Share