ବଲାଙ୍ଗୀର,୨୫।୧୧(ସୁନିଲ କୁମାର ମହାନ୍ତି): ନାତିର ମୃତ୍ୟୁ ଖବର ଶୁଣି ଜେଜେମା’ଙ୍କ ମୃତ୍ୟୁ। ଗୋଟିଏ ଜୁଇରେ ଜଳିଲା ଦୁଇ ଜଣଙ୍କ ଚିତା। ଏପରି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସଦର ଥାନା ଆର. ଆର. କଲୋନୀରେ ତିନିବର୍ଷ ହେଲା ଲୋୟର ସୁକତେଲ ଡ୍ୟାମ ଅଞ୍ଚଳରୁ ବିସ୍ଥାପିତ ହେବା ପରେ ସଦେଇପାଲି ବିସ୍ଥାପିତ କଲୋନୀରେ ରହିଆସୁଛନ୍ତି ଖୁଣ୍ଟପାଲି ଗ୍ରାମବାସୀ। ସେହି ବିସ୍ଥାପିତ କଲୋନୀରେ ମଙ୍ଗଳବାର ଘଟିଛି ଅଭାବନୀୟ ଘଟଣା। ସୋମବାର ସନ୍ଧ୍ୟାରେ ସୁଧୀର ଖୁୱାସଙ୍କ ୧୭ ବର୍ଷର ପୁଅ ସୁମନ ଖୁୱାସଙ୍କ ପେଟ ବ୍ୟଥା ହେଲା ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ ପରିବାର ଲୋକେ। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ସୁମନଙ୍କୁ ଘରକୁ ଆଣିଥିଲେ । କିନ୍ତୁ ମଙ୍ଗଳବାର ସକାଳୁ ପୁଣି ଥରେ ଅସୁସ୍ଥ ହେବାରୁ ହସ୍ପିଟାଲକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁମନଙ୍କ ମୃତ୍ୟୁ ଖବର ଶୁଣିବା ପରେ, ଦୁଃଖରେ ମ୍ରିୟମାଣ ହୋଇ ଜୀବନ ହାରିଥିଲେ ୭୦ ବର୍ଷୀୟ ଜେଜେମା ପଦ୍ମିନୀ ଖୁୱାସ। ଗୋଟିଏ ଜୁଇରେ ନାତି ଓ ଜେଜେମା’ ଶୋଇଥିଲେ। ଏପରି ଦୁଃଖଦ ଘଟଣାକୁ ନେଇ ସାରା ବଲାଙ୍ଗୀର ସହର ସ୍ତବ୍ଧ । ପୁଅ ଓ ମାଙ୍କୁ ହରାଇ, ଭାଙ୍ଗି ପଡିଛନ୍ତି ସୁଧୀର ଖୁୱାସ ।