ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ କରାଯାଇଛି, ଯାହା ଦ୍ୱାରା ସାଟେଲାଇଟ୍ ମାଧ୍ୟମରେ ସେମାନଙ୍କର ଗତିବିଧି ଉପରେ ନଜର ରଖାଯାଇପାରିବ। ଏହି ଟ୍ୟାଗିଂ ଫଳରେ କଇଁଛମାନେ କେଉଁଠାରୁ ଓଡ଼ିଶା ଉପକୂଳକୁ ଆସୁଛନ୍ତି ତାହା ସ୍ପଷ୍ଟ ହେବ ଏବଂ ସେମାନଙ୍କର ସମୁଦ୍ର ସ୍ଥାନାନ୍ତରଣ ପଥ ଓ ଆଚରଣକୁ ଅଧ୍ୟୟନ କରାଯାଇପାରିବ। ଏହି ୨ଟି କଇଁଛ ମଧ୍ୟରୁ ଗୋଟିଏ ମେଲ୍ (ପୁରୁଷ) ଏବଂ ଅନ୍ୟଟି ଫିମେଲ୍ (ମହିଳା)। ଟ୍ୟାଗିଂ ପରେ ସେମାନଙ୍କୁ ସମୁଦ୍ରରେ ଛଡ଼ାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ୟବହୃତ ଟ୍ରାନ୍ସମିଟର୍ ନ୍ୟୁଜିଲ୍ୟାଣ୍ଡରୁ ଅଣାଯାଇଥିବା ସୂଚନା ମିଳିଛି। ଏହି ଅଭିଯାନରେ ଚିଫ୍ ପ୍ରିନ୍ସିପାଲ୍ କନଜର୍ଭେଟର୍ ପ୍ରେମ କୁମାର ଝା, ଆଞ୍ଚଳିକ ଚିଫ୍ ପ୍ରିନ୍ସିପାଲ୍ କନଜର୍ଭେଟର୍ ବିଶ୍ୱନାଥନ୍, ବ୍ରହ୍ମପୁର ଡିଏଫଓ ସନ୍ନି ଖୋକର୍, ଚିଲିକା ଡିଏଫଓ ଅମ୍ଳାନ୍ ନାୟକ ଏବଂ ଖଲିକୋଟ୍ ରେଞ୍ଜର୍ ଦିବ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ବନ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ଟ୍ୟାଗିଂ କାର୍ଯ୍ୟକୁ ଡେରାଡୁନ୍ ସ୍ଥିତ ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ତିନିଜଣିଆ ବିଶେଷଜ୍ଞ ଦଳ ପରିଚାଳନା କରିଛନ୍ତି। ପୂର୍ବରୁ ଗହୀରମଥା ଉପକୂଳରେ କିଛି କଇଁଛଙ୍କୁ ଟ୍ୟାଗିଂ କରାଯାଇଥିଲା। ବ୍ରହ୍ମପୁର ଡିଏଫଓ ସନ୍ନି ଖୋକର୍ କହିଛନ୍ତି ଯେ, ଏହି ସାଟେଲାଇଟ୍ ଟ୍ୟାଗିଂର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଲିଭ ରିଡଲେ କଇଁଛମାନଙ୍କର ସମୁଦ୍ର ମଧ୍ୟରେ ସ୍ଥାନାନ୍ତରଣ ପଥ ଏବଂ ଆଚରଣକୁ ଗଭୀରଭାବେ ଅଧ୍ୟୟନ କରିବା। ଏହା ଦ୍ୱାରା ସେମାନଙ୍କର ସଂରକ୍ଷଣ ପାଇଁ ନୂଆ ଉପାୟ ଖୋଜିବାରେ ସହାୟକ ହେବ।


