କୋଲକାତା,୧୭ା୧୧: ପଶ୍ଚିମବଙ୍ଗ ରାଜଭବନ ପରିସରରେ ଭାଜପା ନେତାମାନଙ୍କ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଗଚ୍ଛିତ ରଖିବା ପାଇଁ ଅନୁମତି ଦିଆଯାଇଥିବା ତୃଣମୂଳ କଂଗ୍ରେସ ଏମ୍ପି କଲ୍ୟାଣ ବାନାର୍ଜୀ ଶନିବାର ଅଭିଯୋଗ ଆଣିବା ପରେ ଏହାକୁ ନେଇ ଉଭୟ ଦଳ ମୁହଁାମୁହିଁ ହୋଇଛନ୍ତି। ହୁଗ୍ଲି ଜିଲା ଶ୍ରୀରାମପୋରର ଏମ୍ପି କହିଛନ୍ତି, ରାଜ୍ୟପାଳ ଅପରାଧୀ (ଭାଜପା ନେତା)ମାନଙ୍କୁ ରାଜଭବନ କମ୍ପ୍ଲେକ୍ସରେ ଆଶ୍ରୟ ଦେବା ସହ ଶାସକ ଦଳ କର୍ମୀଙ୍କ ଉପରେ ଆକ୍ରମଣ ପାଇଁ ଅସ୍ତ୍ର ଯୋଗାଉଛନ୍ତି। ତାଙ୍କର ଏଭଳି ଅଭିଯୋଗର ଦିନକ ପରେ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ଟିଏମ୍ସି ଏମ୍ପିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଧମକ ଦେଇଛନ୍ତି।
ଏଭଳି ଅକ୍ଷମ ରାଜ୍ୟପାଳ ରହିଥିବା ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗର ହିତ କଦାପି ଦେଖିପାରିବେ ନାହିଁ ବୋଲି କଲ୍ୟାଣ କହିଥିଲେ। ତାଙ୍କର ଏଭଳି ମନ୍ତବ୍ୟ ଉତ୍ତେଜନାପୂର୍ଣ୍ଣ ଓ ଦାୟିତ୍ୱହୀନତା ବୋଲି ରାଜ୍ୟପାଳ ଆନନ୍ଦ କହିବା ସହ କଲ୍ୟାଣ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ଯଦି ସେ କ୍ଷମା ନ ମାଗନ୍ତି, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟପାଳ କହିଛନ୍ତି। ଜନସାଧାରଣ ଓ ଖବରଦାତାଙ୍କ ସମେତ ୧୦୦ ଜଣ ରାଜଭବନ ଆସି ଏହା ପରିସରରେ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ରହିଥିବା ନେଇ ଯାଞ୍ଚ କରିବାକୁ ଅନୁମତି ଦିଆଯାଇଥିବା ରାଜ୍ୟପାଳ କହିଛନ୍ତି। କଲ୍ୟାଣ ବାନାର୍ଜୀ କ୍ଷମା ମାଗନ୍ତୁ ବୋଲି ଦାବି କରି ରାଜଭବନ ତରଫରୁ ଇତିମଧ୍ୟରେ ଆନୁଷ୍ଠାନିକ ବିବୃତି ଜାରି ହୋଇଛି। ଏମ୍ପିଙ୍କ ଅଭିଯୋଗ ରାଜ୍ୟପାଳଙ୍କୁ ମିଳିଥିବା ଜେଡ୍ ପ୍ଲସ୍ ସୁରକ୍ଷାର ଉଲ୍ଲଂଘନ ହୋଇଥିବାରୁ ଏହାର ତୁରନ୍ତ ତଦନ୍ତ ପାଇଁ ରାଜଭବନ ଆହ୍ବାନ ଦେଇଛି।
Dharitri – The Largest & Most Trusted Odia Daily


