ଛତ୍ରପୁର/ଗଞ୍ଜାମ,୧୩ା୪(ସନ୍ତୋଷ ପାଢ଼ୀ/ ବିଦ୍ୟାଧର ସାହୁ): ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି ରବିବାର ଗଞ୍ଜାମ ଜିଲା ଗସ୍ତରେ ଆସି ସେ ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତଦାରଖ କରିଥିଲେ। ଏହି ସମୟରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଜ଼ିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ବ୍ରହ୍ମପୁର ଏସ୍ପି ଡକ୍ଟର ଶ୍ରବଣ ବିବେକ ଏମ.ଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଗଞ୍ଜାମରେ ଜିଲାପାଳ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।
ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା ପରେ ରାଜ୍ୟପାଳ ସ୍ତ୍ରୀଙ୍କ ସହ ଯାଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡମପେଟାସ୍ଥିତ ଋଷିକୂଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ଅଲିଭରିଡଲେ ଶାବକଙ୍କୁ ବୁଲି ଦେଖିଥିଲେ। ବର୍ତ୍ତମାନ ଅଣ୍ଡାରୁ ଛୁଆ ଫୁଟିବା ପରେ କୁନି କୁନି ଅଲିଭ ରିଡିଲେ ଶାବକ ସମୁଦ୍ରମୁହାଁ ହେଉଥିବାର ବିରଳ ଦୃଶ୍ୟ ଦେଖି ରାଜ୍ୟପାଳ ଖୁସି ଅନୁଭବ କରିଥିଲେ।
କିଭଳି ସୁରକ୍ଷିତ ଭାବେ ଏହି କୁନି ଅଲିଭରିଡଲେ ଶାବକ ଘରମୁହାଁ ହେବେ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେ ଜିଲାପାଳ ଏବଂ ବ୍ରହ୍ମପୁର ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ସମୁଦ୍ର ବେଳାଭୂମିରୁ ଅଲିଭରିଡଲେ ସାମୁଦ୍ରିକ କଇଁଚ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି। ଦୈନିକ ଏବେ ଅଣ୍ଡାରୁ ଛୁଆ ବାହାରି ଏହି କୁନି ଶାବକ ସମୁଦ୍ରମୁହାଁ ହେଉଛନ୍ତି। ଗତ ନଭେମ୍ବରରୁ ଜାନୁଆରୀ ମଧ୍ୟରେ ସମୁଦ୍ରରେ ମିଳନ ପରେ ଋଷିକୁଲ୍ୟା ମୁହାଣ ନିକଟରେ ଦୁଇଟି ପର୍ଯ୍ୟାୟରେ ଅଲିଭ ରିଡିଲେ ଗଣଅଣ୍ଡାଦାନ କରିଥିଲେ। ଅଣ୍ଡାଦାନର ୪୫ ଦିନ ପରେ ଛୁଆ ଫୁଟିବା ଆରମ୍ଭ ହୋଇଛି।


