ଭୁବନେଶ୍ୱର,୧୧ା୨(ବନ୍ଦନା ସେଠୀ): ଖରାଦିନ ପୂର୍ବରୁ ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗଣକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ୭୦ଜନସଂଖ୍ୟା ଥିବା ଗାଁରେ ଗୋଟିଏ ଲେଖାଏ ଓ ୭୦ରୁ ଅଧିକ ଜନସଂଖ୍ୟାବିଶିଷ୍ଟ ଗ୍ରାମରେ ଦୁଇଟି ନଳକୂପ ଖନନ ହେବ।
ଏନେଇ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ସୋମବାର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଲେ, ନଳକୂପ ଖୋଳିବା ପାଇଁ ପୂର୍ବ ସରକାର ପ୍ରକ୍ରିୟା ବନ୍ଦ କରିଥିବାବେଳେ ବର୍ତ୍ତମାନ ରାଜ୍ୟ ସରକାର ଏହାକୁ ପୁନଃ ଅନୁମତି ଦେଇଛନ୍ତି। ଉପକୂଳ ଅଞ୍ଚଳରେ ସାଲାଇନ ପାଣି ଥିବାରୁ ୧୦ବର୍ଷ ପରେ ମଧୁର ପାଣି ସରିଯାଉଛି। ଏଥିପାଇଁ ଅଧିକ ଆଡି ବନ୍ଧ ନିର୍ମାଣ ହେବ। ଖରାଦିନ ପାଇଁ ପାନୀୟ ଜଳ ବ୍ୟବସ୍ଥାକୁ ବ୍ୟାପକ କରାଯାଉଥିବାବେଳେ ସୋଲାର ମାଧ୍ୟମରେ ସରକାର ପାନୀୟ ଜଳ ଯୋଗାଇଦେବେ।
ସେହିଭଳି ଅନ୍ୟ ଅସୁବିଧା ହେଲେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇଦିଆଯିବ। ତେବେ ଜଙ୍ଗଲ କିସମ ଅଞ୍ଚଳରେ ନଳକୂପ ଖନନ ଏବଂ ଅନ୍ୟାନ୍ୟ କିଛି ସମସ୍ୟା ଥିବାରୁ ଏଥିପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି। ଏଥିସହ ୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ୭୨ଟି ବୃହତ ପାନୀୟଜଳ ପ୍ରକଳ୍ପ ଶେଷ ହୋଇ ‘ହର୍ ଘର୍ ଜଳ’ର ବ୍ୟବସ୍ଥା କରାଯିବ। ଡିସେମ୍ବର ଶେଷ ସୁଦ୍ଧା ୫୪ଟି ବୃହତ ପାନୀୟ ଜଳ ପ୍ରକଳ୍ପ ଏବଂ ୨୦୨୬ ଜୁନ ଶେଷ ସୁଦ୍ଧା ୮୧ଟି ବୃହତ ପାନୀୟଜଳ ପ୍ରକଳ୍ପ (ମୋଟ ୨୦୭)ର ନିର୍ମାଣ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ୍ୟ ରଖାଯାଇଛି। ଜନସାଧାରଣଙ୍କଠାରୁ ଅଭିଯୋଗ ଶୁଣାଣି ମାଧ୍ୟମରେ ଯେଉଁ ସବୁ ପ୍ରସ୍ତାବ ଆସୁଛି ସେସବୁ ଉପରେ ମଧ୍ୟ କାର୍ଯ୍ୟ ଚାଲିଛି। ବିଗତ ବର୍ଷଗୁଡିକରେ ବିଦ୍ୟୁତ୍ ଦେୟ ପଇଠ ହୋଇ ନ ଥିବା ଯୋଗୁ ଗ୍ରାମାଞ୍ଚଳର ଅନେକ ପାନୀୟଜଳ ପ୍ରକଳ୍ପର ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଉଥିଲା। ତେଣୁ ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିଲା।
ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଗ୍ରାମାଞ୍ଚଳର ବୃହତ ପାନୀୟ ଜଳ ପ୍ରକଳ୍ପର ବକେୟା ବିଦ୍ୟୁତ୍ ଦେୟ ପାଇଁ ବସୁଧା ଯୋଜନା ଅଧୀନରେ ମିଳୁଥିବା ଅନୁଦାନକୁ ବ୍ୟବହାର କରିବା ପାଇଁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ନିର୍ଦ୍ଦେଶ ଦେଇଛି। ସାମଗ୍ରିକ ଭାବରେ ରାଜ୍ୟବାସୀଙ୍କ ପାନୀୟ ଜଳ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।