ସରକାରଙ୍କ ବଡ଼ ନିଷ୍ପତ୍ତି: ତ୍ରିଶୂଳିଆରେ ନିର୍ମାଣ ହେବ…

ଭୁବନେଶ୍ୱର,୨୦ା୯: ଟୁଇନ୍‌ ସିଟିରେ ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତ୍ରିଶୂଳିଆରେ ଦ୍ବିତୀୟ ବ୍ରିଜ ନିର୍ମାଣ ହେବ ବୋଲି ବିଧାନସଭାରେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଏନେଇ ୨୯୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଟେଣ୍ଡର ପ୍ରକ୍ରିୟା ଜାରି ରହିଛି, ୩୬ ମାସରେ ନିର୍ମାଣ କାର୍ଯ୍ୟ ଶେଷ ହେବ।

ଆଗାମୀ ସେତୁଟି ବର୍ତ୍ତମାନର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ସହିତ ସମାନ୍ତରାଳ ଭାବରେ ଚାଲିବ, ଯାହା ପ୍ରାୟ ୩.୧୨୭ କିଲୋମିଟର ବ୍ୟାପୀ ହେବ। ଯେଉଁଥିରେ ତ୍ରିଶୂଳିଆ ଏବଂ ଜୁଡିସିଆଲ ଏକାଡେମୀର ଆପ୍ରୋଚ ରୋଡ୍‌ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପରେ ଡ୍ରେନେଜ୍‌ ଲେନ୍‌ ଏବଂ ବକ୍ସ କଲଭର୍ଟ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଚାରି ଲେନ୍‌ ବିଶିଷ୍ଟ ବ୍ରିଜ୍‌ ସମ୍ପୂର୍ଣ୍ଣ ହେବା ପରେ କାଠଯୋଡ଼ି ବ୍ରିଜ୍‌ରେ ବଢ଼ୁଥିବା ଟ୍ରାଫିକ୍‌ ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ। ଏହା ଟ୍ବିନ୍‌ ସିଟି ମଧ୍ୟରେ ଯାତାୟାତକୁ ସୁଗମ କରିବ ବୋଲି ମଧ୍ୟ ଆଶା କରାଯାଉଛି।

ଏହି ବ୍ରିଜ୍‌ କଟକ-ଭୁବନେଶ୍ୱର କରିଡରକୁ ସୁଦୃଢ଼ କରିବା ପାଇଁ ଏକ ବ୍ୟାପକ ଯୋଜନାର ଅଂଶ। ଆପ୍ରୋଚ ରୋଡ୍‌, ଜୁଡିସିଆଲ ଏକାଡେମୀ ରୋଡ୍‌ରୁ ତ୍ରିଶୂଳିଆକୁ ଚାରି ଲେନ୍‌ ରାସ୍ତାରେ ଏବଂ ଜୁଡିସିଆଲ ଏକାଡେମୀ ରୋଡ୍‌ରୁ ଯୋବ୍ରାକୁ ୬ ଲେନ୍‌ ରାସ୍ତାରେ ବିସ୍ତାର କରିବା ମଧ୍ୟ ଆଗକୁ ବଢୁଛି ବୋଲି ମନ୍ତ୍ରୀ ତାଙ୍କ ବିବୃତ୍ତିରେ କହିଛନ୍ତି।

Share