ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ୨୦୩୬ ସୁଦ୍ଧା ୫୦% ଓ ୨୦୪୭ ସୁଦ୍ଧା ୬୦% ସାମଗ୍ରିକ ଶିକ୍ଷା ଅନୁପାତକୁ ସୁନିଶ୍ଚିତ କରାଯିବ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଲିଙ୍ଗଗତ ସମାନତା ଓ ପଛୁଆ ବର୍ଗରୁ ଆସୁଥିବା ଛାତ୍ରୀଛାତ୍ରଙ୍କ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରାଧାନ୍ୟ ଦିଆଯିବ। ସ୍ନାତକ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରତି ବ୍ଲକରେ ୨ଟି ଉଚ୍ଚଶିକ୍ଷାନୁଷ୍ଠାନ (କଲେଜ) ଏବଂ ପ୍ରତି ଜିଲାରେ ଅନ୍ତତଃ ଗୋଟିଏ ବୈଷୟିକ ଗବେଷଣାଭିତ୍ତିକ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ। ରାଜ୍ୟର ୨ଟି ଶିକ୍ଷାନୁଷ୍ଠାନକୁ ବିଶ୍ୱର ଶ୍ରେଷ୍ଠ ୫୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।
ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ (ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା)କୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ କୁଳପତି, ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ପାଇଁ ଶୁକ୍ରବାର ଏକ କର୍ମଶାଳା କୃଷି ଭବନଠାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ସୂରଜ ଯୋଗଦେଇ କହିଥିଲେ, ଉଚ୍ଚଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଏସ୍ଇବିସି ଛାତ୍ରୀଛାତ୍ରଙ୍କ ଲାଗି ୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକଙ୍କ ପ୍ରତ୍ୟକ୍ଷ ନିଯୁକ୍ତି ସମୟରେ ଏକକ ସଂରକ୍ଷଣ ପଦ୍ଧତିକୁ ଅନୁସରଣ କରିବା ନିମନ୍ତେ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡ଼ର ସଂରକ୍ଷଣ) ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛିି। ବିଦେଶ ଶିକ୍ଷାବୃତ୍ତି ଯୋଜନା ମାଧ୍ୟମରେ ୧୨ଲକ୍ଷରୁ କମ୍ ଆୟ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପରିବାରର ଛାତ୍ରୀଛାତ୍ରଙ୍କୁ ବିଦେଶରେ ପାଠ ପଢିବା ପାଇଁ ବାର୍ଷିକ ସର୍ବାଧିକ ୨୫ ଲକ୍ଷ ଓ ୨ ବର୍ଷରେ ସର୍ବାଧିକ ୫୦ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନର ବ୍ୟବସ୍ଥା ରହିଛି। ‘ସମସ୍ତଙ୍କ ପାଇଁ ଶିକ୍ଷା, ସମସ୍ତଙ୍କ ପାଇଁ ଉଚ୍ଚଶିକ୍ଷା’ ଆମର ଲକ୍ଷ୍ୟ। ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣରେ ଶୈକ୍ଷିକ ସମାଜ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ମତପ୍ରକାଶ କରିଥିଲେ।