ବାବୁଙ୍କ ଦକ୍ଷତା ମାପିବେ ସରକାର: ତହସିଲଦାରଙ୍କ ପାଇଁ ଆସିବ ର଼୍ୟାଙ୍କିଙ୍ଗ ବ୍ୟବସ୍ଥା

ଭୁବନେଶ୍ୱର,୨୦।୧ (ରବିନାରାୟଣ ଜେନା):ରାଜ୍ୟବାସୀଙ୍କୁ କିଭଳି ହାତ ପାଆନ୍ତାରେ ରାଜସ୍ବ ସେବା ମିଳିବ ତାକୁ ନେଇ ଗତ ୧୮ମାସ ମଧ୍ୟରେ ରାଜସ୍ବ ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିବିଧ ପ୍ରମାଣପତ୍ର ପ୍ରଦାନ ଓ ପୁରୁଣା ଆଇନକୁ ବନ୍ଦ କରିବା ଭଳି ୧୩ଟି ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ହେଲେ ଏବେ ବି ବିବିଧ ପ୍ରମାଣପତ୍ରଠାରୁ ଆରମ୍ଭ କରି ଦାଖଲ ଖାରଜମାମଲାର ଫଇସଲା ଏବଂ ଅନ୍ୟାନ୍ୟ ରାଜସ୍ବ ସେବା ପାଇବାରେ ଲୋକେ ହଇରାଣ ହରକତ ହେଉଛନ୍ତି। ଆଗାମୀ ଦିନରେ ଲୋକେ ଯେପରି ରାଜସ୍ବ ସେବା ପାଇବାରେ କୌଣସି ସମସ୍ୟା ନ ଉପୁଜିବ ତାକୁ ନେଇ ରାଜସ୍ବ ବିଭାଗ ପକ୍ଷରୁ ତହସିଲଦାର ବାବୁମାନଙ୍କ ଦକ୍ଷତା ମପାଯିବ। କେଉଁ ତହସିଲଦାର କେଉଁସବୁ ମାମଲାକୁ ତ୍ୱରିତ ସମାଧାନ କରୁଛନ୍ତି ଏବଂ ତାହା ମଧ୍ୟରେ କେତେସବୁ ଗୁଣାତ୍ମକ ସେବା ରହିଛି ତାକୁ ଆଧାର କରି ର଼୍ୟାଙ୍କିଙ୍ଗ ପ୍ରଦାନ କରାଯିବ। ଯେଉଁ ତହସିଲଦାରମାନେ ଅଭ୍ୟାସଗତ ଭାବେ ଠକୁଥିବେ ସେମାନେ ଏହି ର଼୍ୟାଙ୍କିଙ୍ଗରେ ଧରାପଡ଼ିବେ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାବାଦ୍‌ ଯେଉଁ ଅଧିକାରୀମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ପ୍ରଶଂସାପତ୍ର ସହିତ ପଦୋନ୍ନତି ଦେବାର ମଧ୍ୟ ବ୍ୟବସ୍ଥା କରାଯିବ। ଏହାସହିତ ରାଜସ୍ବ ବିଭାଗରେ ଥିବା ପୁରୁଣା ମାମଲା ହଟାଇବା ସହିତ ରାଜସ୍ବ ସଂସ୍କାରକୁ ଲୋକାଭିମୁଖୀ କରିବାପାଇଁ ବିଭାଗ ଏଭଳି ପଦକ୍ଷେପ ଖୁବ୍‌ଶୀଘ୍ର ନେବ ବୋଲି ଜଣାଯାଇଛି।
ଲୋକସେବା ଭବନରେ ସୋମବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ଓଡ଼ିଶା ସରକାରୀ ଭୂ-ପରିଚାଳନା ଆଇନରେ କେତେକ ସଂସ୍କାର ଅଣାଯିବାପାଇଁ ବିଭାଗ ପକ୍ଷରୁ କେତେକ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହାକୁ ନେଇ ଖୁବ୍‌ଶୀଘ୍ର ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯିବ ଏବଂ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାବିନେଟ୍‌ରେ ଅଣାଯିବ। ଆସନ୍ତା ବଜେଟ ଅଧିବେଶନ ପୂର୍ବରୁ ନୂତନ ଓଡ଼ିଶା ସରକାରୀ ଭୂ-ପରିଚାଳନା ଆଇନ ଆଣିବାକୁ ବିଭାଗ ଉଦ୍ୟମ କରୁଛି ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ତହସିଲଦାରଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ନିକଟରେ ଅଣାଯାଇଥିବା ବିଭିନ୍ନ ରାଜସ୍ବ ସେବା ଓ ନୂତନ ଆଇନ କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଇବା ପାଇଁ ତାଲିମ ପ୍ରଦାନ କରାଯିବ। ପ୍ରତ୍ୟେକ ଦିନ ଅପରାହ୍ନ ୫ଟାରେ ଜିଲାସ୍ତରୀୟ ତହସିଲଦାର, ଭୂ-ବନ୍ଦୋବସ୍ତ ଅଧିକାରୀ, ଅତିରିକ୍ତ ଜିଲାପାଳ ଏବଂ ଜିଲାପାଳଙ୍କୁ ନେଇ ଏକ ଆଭାସୀ ବୈଠକ କରାଯିବ। ବୈଠକରେ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ଉନ୍ନୟନ ଆୟୁକ୍ତଙ୍କ ପର୍ଯ୍ୟନ୍ତ ଅଧିକାରୀ ରହିବେ। କେଉଁ ଦିନ କେଉଁ ଅଧିକାରୀଙ୍କୁ ନେଇ ଆଭାସୀ ବୈଠକ କରାଯିବ ତାହା ନିର୍ଦ୍ଦିଷ୍ଟ କରାଯିବ। ଏନେଇ ଖୁବ୍‌ଶୀଘ୍ର ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହେବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି।

 

Dharitri – Odisha’s No.1 Odia Daily