ଭୁବନେଶ୍ୱର,୨୨।୧(ସୁଚିସ୍ମିତା ସାହୁ): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନ ସ୍ବାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଓଡ଼ିଶାରେ ଗୁଟ୍ଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମାଖୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ଗଚ୍ଛିତ ରଖିବା, ପରିବହନ, ବାଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି।
ଏହି ନିଷେଧାଜ୍ଞା ଖାଦ୍ୟ ସୁରକ୍ଷା ଓ ମାନକ ଆଇନ-୨୦୦୬ ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରୟ ଉପରେ ପ୍ରତିବନ୍ଧକ ଓ ନିୟନ୍ତ୍ରଣ) ବିଧି-୨୦୧୧ର ଧାରା ୨.୩.୪ ଅନୁଯାୟୀ ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ)ଙ୍କ ଗାଇଡଲାଇନ୍ ଅନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ତମାଖୁ ଓ ନିକୋଟିନ୍ ଯୁକ୍ତ ପଦାର୍ଥଗୁଡ଼ିକ ମୁଖ, ଗଳା, ଅନ୍ତର୍ନିହିତ ଅଙ୍ଗରେ କ୍ୟାନ୍ସର ସହିତ ଗୁରୁତର ରୋଗ ସୃଷ୍ଟି କରୁଛି। ବିଶେଷ କରି ଶିଶୁ ଓ ଯୁବପିଢ଼ିଙ୍କ ସ୍ବାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ହାନିକାରକ। ତେଣୁ ସାର୍ବଜନୀନ ସ୍ବାସ୍ଥ୍ୟ ହିତରେ ଏହି ନିଷେଧ ଲାଗୁ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନୋଟିଫିକେଶନ ନମ୍ବର ୨୦୬୫/୨୧।୧।୨୦୨୬ ଅନୁସାରେ ଏହି ନିଷେଧାଦେଶ ଲାଗୁ କରାଯାଇଛି। ସାଧାରଣ ଲୋକଙ୍କୁ ଏହି ନିଷେଧାଜ୍ଞା ପାଳନ କରି ସୁସ୍ଥ ଓ ତମାଖୁମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ରାଜ୍ୟ ସରକାର ଆହ୍ବାନ କରିଛନ୍ତି।