ସବୁ ସହବନ୍ଧିତ ହସ୍ପିଟାଲକୁ ସରକାରଙ୍କ ନିର୍ଦ୍ଦେଶ, ନୂତନ ଆଇଟି ବ୍ୟବହାର ବେଳେ ଏସ୍‌ଓପିକୁ ଗୁରୁତ୍ୱ ଦିଅ

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ଲୋକେ ଯେପରି ଲାଭାନ୍ବିତ ହୋଇପାରିବେ ଏବଂ ହସ୍ପିଟାଲରେ ସମସ୍ୟା ନ ହେବ ତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚିବ ଅଶ୍ୱଥୀ ଏସ୍‌ ଏକ ସ୍ପଷ୍ଟ ନିର୍ଦ୍ଦେଶନାମା ସରକାରଙ୍କ ସହ ସହବନ୍ଧିତ ସବୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ ଦର୍ଶାଇଛନ୍ତି, ଏହି ହସ୍ପିଟାଲ ନୂତନ ଆଇଟି ପ୍ଲାଟଫର୍ମ ବ୍ୟବହାର କରିବେ।

ରୋଗୀଙ୍କ ନୂତନ ସ୍ବାସ୍ଥ୍ୟ କାର୍ଡ ଆଇଡି କିମ୍ବା ଆଧାର ନମ୍ବର, ରାଶନକାର୍ଡ ଓ ପୁରୁଣା ସ୍ବାସ୍ଥ୍ୟ କାର୍ଡ ନମ୍ବରରୁ ଯେକୌଣସି ବିକଳ୍ପକୁ ନେଇପାରିବେ। ପୁରୁଣା ପୋର୍ଟାଲରେ ହିତାଧିକାରୀ ଯୋଗ୍ୟ ପ୍ରମାଣିତ ହେଲେ ଚିକିତ୍ସା କରାଇବେ। ନୂତନ ପୋର୍ଟାଲରେ ବୈଷୟିକ ସମସ୍ୟାର ସମ୍ମୁଖୀନ ହେଲେ ହସ୍ପିଟାଲ ନୂଆ ବ୍ୟବସ୍ଥାରେ ପଞ୍ଜୀକରଣ କରିପାରିବେ। ଆବଶ୍ୟକ ସ୍ଥଳେ ‘ସାସ୍‌’କୁ ଇ-ମେଲ ଜରିଆରେ ସମ୍ପର୍କ ସ୍ଥାପନ କରିପାରିବେ ବୋଲି ସେ ଦର୍ଶାଇଛନ୍ତି।