ଧର୍ମଶାଳା,୨୧ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଗେଟ୍ ସମ୍ମୁଖରେ ପାଣି ଜମି ରହିଛି। ଯାହା ଫଳରେ ଯାତାୟାତରେ ସମସ୍ୟା ଦେଖାଦେଇଛି। ଜାରକା ଅଞ୍ଚଳରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଡ୍ରେନେଜ୍ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ତାହା କେତେଦୂର କାର୍ଯ୍ୟ କରୁଛି ତାହାର ଚିତ୍ର ୧୫ଦିନ ପୂର୍ବରୁ ବର୍ଷା ପରେ ପରେ ଶାନ୍ତିବଜାରଠାରୁ ବୁଦ୍ଧ ଛକ ପର୍ଯ୍ୟନ୍ତ ୨ଫୁଟ ଉଚ୍ଚ ପାଣି ଜମିରହିବା ପରେ ଦେଖିବାକୁ ମିଳିଥିଲା।
ସେହିପରି ବ୍ଲକର ମୁଖ୍ୟ ଗେଟ୍ ସମ୍ମୁଖରେ ପାଣି ଜମି ରହିବା ଘଟଣା ଚିନ୍ତାର ବିଷୟ ହୋଇଛି। ଖୋଦ୍ ସରକାରୀ ବାବୁମାନେ ପାଣି ମଧ୍ୟରେ ପଶି ଯାଉଥିବା ଦେଖିବାକୁ ମିଳିଛି। ଆଜି ରବିବାର ହୋଇ ଥିବାରୁ ବ୍ଲକ ମୁଖ୍ୟ ଫାଟକ ବନ୍ଦ ରହିଥିଲା କିନ୍ତୁ ଏହାର ପାର୍ଶ୍ୱରେ ଅନ୍ୟ ଏକ ଛୋଟ ଗେଟ୍ ରହିଛି ଯାହାଦ୍ୱାରା ଲୋକେ ଏହି ରାସ୍ତା ଦେଇ ପାଣିରେ ପଶି ଯାଉଥିବା ଦେଖିବାକୁ ମିଳିଥିଲା।
ସେହିପରି ଏହି ବ୍ଲକ ଅଧୀନରେ ୪୫ଟି ପଞ୍ଚାଯତ ରହିଛି। ପ୍ରତ୍ୟେକ ଦିନ ବୃଦ୍ଧାବୃଦ୍ଧଠାରୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ଶହ ଶହ ଲୋକ ସେମାନଙ୍କ ସମସ୍ୟା ନେଇ ଆସିଥାନ୍ତି। କିନ୍ତୁ ବ୍ଲକର ନିଜ ସମସ୍ୟା ଦେଖି ସମାଧାନ କରିବା ପାଇଁ ପ୍ରଶାସନ ପାଖେ ନିବେଦନ କରିଛନ୍ତି।